ବିବିସି ଡକ୍ୟୁମେଣ୍ଟ୍ରି ଉପରେ ବ୍ୟାନ୍ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ, ଜାଣନ୍ତୁ ପୁରା ମାମଲା
3/02/2023 at 8:40 AM

ନୂଆଦିଲ୍ଲୀ, ୦୩/୦୨: ବିବିସି ଡକ୍ୟୁମେଣ୍ଟ୍ରି ଉପରେ ବ୍ୟାନ୍ ଲଗାଇବା ନିଷ୍ପତ୍ତି ବିରୋଧରେ ହୋଇଥିବା ଯାଚିକା ଆଜି ଶୁଣାଇ କରିବେ ସୁପ୍ରିମକୋର୍ଟ। ବିଚାରପତି ସଞ୍ଜୀବ ଖନ୍ନା ଏବଂ ଏମଏମ ସୁନ୍ଦରେଶଙ୍କ ବେଞ୍ଚ ଏହି ମାମଲାରେ ଶୁଣାଣି କରିବେ। ଏହି ଯାଚିକା ସାମ୍ବାଦିକ ଏନ ରାମ, ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ଓକିଲ ପ୍ରଶାନ୍ତ ଭୂଷଣ ରୁଜୁ କରିଥିଲେ। ସେହିଭଳି ଅନ୍ୟ ଯାଚିକା ଓକିଲ ଏମ ଏଲ ଶର୍ମା ଦାୟର କରିଥିଲେ। ଏହା ପୂର୍ବରୁ ୬ ଫେବୃଆରୀରେ ଶୁଣାଣି କରିବାକୁ ସହମତ ହୋଇଥିଲେ ସୁପ୍ରିମକୋର୍ଟ। ୨୦ ଜାନୁଆରୀରେ ମୋଦୀ ସରକାର ୟୁଟ୍ୟୁବ୍ ଏବଂ ଟ୍ବିଟରକୁ ଡକ୍ୟୁମେଣ୍ଟ୍ରି ସେୟାର କରୁଥିବା ଲିଙ୍କ୍କୁ ହଟାଇବାକୁ ଆଦେଶ ଦେଇଛନ୍ତି। ବିବିସିର ଡକ୍ୟୁମେଣ୍ଟ୍ରି ୨୦୦୨ ଗୁଜରାଟ ଦଙ୍ଗା ଉପରେ ଆଧାରିତ।
ଏହା ପୂର୍ବରୁ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼, ବିଚାରପତି ପି ଏସ ନରସିମ୍ହା ଏବଂ ବିଚାରପତି ଜେ ବି ପରଦିବାଲାଙ୍କ ପୀଠ ଓକିଲ ଏମ ଏଲ ଶର୍ମା ଏବଂ ବରିଷ୍ଠ ଓକିଲ ସି ୟୁ ସିଂହଙ୍କ ଦଲିଲ ଉପରେ ଗୁରୁତ୍ବ ଦେଇଥିଲେ। ଉଭୟ ଓକିଲ ଏହି ଘଟଣା ଉପରେ ଭିନ୍ନ ଭିନ୍ନ ଜନହିତ ଯାଚିକା ଉପରେ ତତ୍କାଳ ଶୁଣାଣିର ଅନୁରୋଧ କରିଥିଲେ। ସେତେବେଳେ ପୀଠ କହିଥିଲେ ଯେ ‘ଏହା ଉପରେ ୬ ଫେବୃଆରୀରେ ଶୁଣାଣି କରାଯିବାକୁ କହିଥିଲେ। କିନ୍ତୁ ଏବେ ଏହା ଆଜି ଶୁଣାଣି ହେବ।
ଓକିଲ ଏମଏଲ ଶର୍ମା କହିଛନ୍ତି, ଲୋକଙ୍କୁ ଗିରଫ କରାଯାଉଛି। ଦୟାକରି ଏହାକୁ ତତ୍କାଳ ଶୁଣାଣି ପାଇଁ ସୂଚୀବଦ୍ଧ କରନ୍ତୁ। କିଛି ମିନିଟ୍ ପରେ ବରିଷ୍ଠ ଓକିଲ ସି ୟୁ ସିଂହ ଏହି ପ୍ରସଙ୍ଗ ଉପରେ ବରିଷ୍ଠ ପତ୍ରକାର ଏନ ରାମ ଏବଂ ଓକିଲ ପ୍ରଶାନ୍ତ ଭୂଷଣ ଦ୍ବାରା ଦାୟର ଏକ ଭିନ୍ନ ଯାଚିକାର ଉଲ୍ଲେଖ କରିଥିଲେ। ସେ କହିଥିଲେ କିଭଳି ଜରୁରୀ ଶକ୍ତିର ବ୍ୟବହାର କରି ରାମ, ଭୂଷଣ ଆଦି ଟ୍ବିଟ୍ ହଟାଯାଇଛି।
ସେ ଏହା ମଧ୍ୟ କହିଛନ୍ତି ଯେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ର ଡକ୍ୟୁମେଣ୍ଟ୍ରିକୁ ଦେଖାଇବା ଯୋଗୁଁ ଅଜମେରରେ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଏହା ଉପରେ ବିଚାରପତି ଏହା ଉପରେ ଶୁଣାଣି କରିବାକୁ କହିଛନ୍ତି। ଡକ୍ୟୁମେଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରର ନିଷ୍ପତ୍ତିକୁ ଜନହିତ ଯାଚିକା ଦାୟର କରିବା ସହ ଅଭିଯୋଗ କରିଥିଲେ ଯେ ଏହା ଦୁର୍ଭାବନାପୂର୍ଣ୍ଣ, ମନଇଚ୍ଛା ଏବଂ ଅସମ୍ବିଧାନିକ। ଏମ ଏଲ ଶର୍ମାଙ୍କ ଜନହିତ ଯାଚିକାରେ ୨୦ ଜାନୁଆରୀର ଆଦେଶକୁ ରଦ୍ଧ କରିବାର ଦାବି କରିଥିଲେ।