ଜବରଦସ୍ତି ଧର୍ମାନ୍ତରଣକୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କହିଲେ ସୁପ୍ରିମକୋର୍ଟ, ସତ୍ୟପାଠ ଦାଖଲ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ଜବରଦସ୍ତି ଧର୍ମାନ୍ତରଣକୁ ଏକ ଗୁରୁତର ପ୍ରସଙ୍ଗ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୋମବାର କୋର୍ଟ କହିଛନ୍ତି ଯେ ଏହା ସମ୍ୱିଧାନର ବିରୋଧ ଏବଂ ଏହା ଉପରେ ସତ୍ୟପାଠ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିବା ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିଲେ । ଆବେଦନକାରୀ ନ୍ୟାୟାଳୟଙ୍କ ନିକଟରେ କେନ୍ଦ୍ର ଏବଂ ରାଜ୍ୟକୁ ‘ଭୟଭିତ କରାଇ, ଧୋକା ଦେଇ କିମ୍ୱା ଅର୍ଥର ଲୋଭ ଦେଖାଇ’ କରାଯାଉଥିବା ଛଳନାପୂର୍ଣ୍ଣ ଧର୍ମାନ୍ତରଣ ରୋକିବାକୁ ନିର୍ଦ୍ଦେଶ ଦେବା ପାଇଁ ଅପିଲ କରିଥିଲେ । ଏହା ଉପରେ କେନ୍ଦ୍ର କୋର୍ଟଙ୍କୁ କହିଥିଲେ ଯେ ଏହିପରି ହେଉଥିବା ଧର୍ମାନ୍ତରଣ ଉପରେ ରାଜ୍ୟ ଗୁଡିକଠାରୁ ସୂଚନା ସଂଗ୍ରହ କରାଯାଉଛି ।

ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ଆଗରେ ସିଲିସିଟର ଜେନେରାଲ ତୁଷାର ମେହେତା ଏହା ଉପରେ ବିସ୍ତୃତ ସୂଚନା ଦାଖଲ କରିବା ପାଇଁ ସମୟ ମାଗିଛନ୍ତି । ମେହେତା କହିଥିଲେ, ‘ଆମେ ରାଜ୍ୟ ଗୁଡିକ ଠାରୁ ସୂଚନା ସଂଗ୍ରହ କରୁଛୁ । ଆମକୁ ଗୋଟିଏ ସପ୍ତାହର ସମୟ ଦିଅନ୍ତୁ। ବୈଧାନିକ ରୂପେ ଶାସନ ଏହା ନିର୍ଦ୍ଧାରଣ କରିବ ଯେ କଣ ଜଣେ ବ୍ୟକ୍ତି ନିଜର ଧାର୍ମିକ ମାନ୍ୟତା ବଦଳିବା କାରଣରୁ ନିଜ ଧର୍ମ ପରିବର୍ତ୍ତନ କରୁଛି ନାଁ ଅନ୍ୟ କିଛି କାରଣ ରହିଛି’ ।     

ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି ଯେ ଜୋର କରି ଧର୍ମପରିବର୍ତ୍ତନ କରାଇବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଖଣ୍ଡପୀଠ କହିଥିଲେ, 'ଏହାକୁ ବିରୋଧାତ୍ମକ ଭାବେ ଗ୍ରହଣ ନ କରାଯାଉ । ଏହା ଏକ ଗମ୍ଭୀର ପ୍ରସଙ୍ଗ । ଏହା ଆମ ସମ୍ୱିଧାନ ବିରୁଦ୍ଧ ଅଟେ । ଯେତେବେଳେ କୌଣସି ବ୍ୟକ୍ତି ଭାରତରେ ରୁହେ ସେତେବେଳେ ସେହି ବ୍ୟକ୍ତି ଭାରତର ସଂସ୍କୃତି ଅନୁସାରେ ଚାଲିବାକୁ ପଡିବ'। ଡିସେମ୍ୱର ୧୨ରେ ସୁପ୍ରିମକୋର୍ଟରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.