ୟୁପି ପୌର ନିର୍ବାଚନ ପାଇଁ ଓବିସି ସଂରକ୍ଷଣ ତାଲିକାକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | January 04, 2023 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୌର ନିର୍ବାଚନ ଏବେ ୩ ମାସ ପରେ ହେବ। ଅହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ୟୁପିରେ ତୁରନ୍ତ ନିର୍ବାଚନ କରିବା ନେଇ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଯୋଗୀ ସରକାର।

ଏହି ଆବେଦନ ଉପରେ ଶୁଣାଣି କରି ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତଙ୍କର ଏହି ନିର୍ଦ୍ଦେଶ ପରେ ରାଜ୍ୟରେ ଓବିସି କମିଶନଙ୍କ ରିପୋର୍ଟ ପରେ ଯାଇ ନିର୍ବାଚନ ହେବ ବୋଲି କୁହାଯାଉଛି।

ଖବର ଅନୁସାରେ, ଗତବର୍ଷ ଡିସେମ୍ବର ୫ ତାରିଖରେ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଓବିସି ସଂରକ୍ଷଣ ତାଲିକା ଜାରି କରିଥିଲେ। ଏହି ତାଲିକାକୁ ବିରୋଧ କରି ବିରୋଧୀ ଗୋଷ୍ଠୀ ଆହ୍ଲାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଓବିସି ସଂରକ୍ଷଣ ତାଲିକା ଜାରି କରିବାରେ ସରକାର ଟ୍ରିପଲ ଟେଷ୍ଟର ଫର୍ମୁଲା ପାଳନ କରି ନାହାନ୍ତି। କୌଣସି ଆଲୋଚନା କରି ନାହାନ୍ତି କି ଓବିସି କମିଶନ ଗଠନ କରି ନାହାନ୍ତି। ସରକାର ଏମିତି ଏକପାଖିଆ ତାଲିକା ଜାରି କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ଏହି ଆବେଦନ ଉପରେ ରାୟ ଶୁଣାଇ ସଂରକ୍ଷଣ ତାଲିକା ରଦ୍ଦ କରିବା ସହ ନିର୍ବାଚନ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ। ତା ସହ ଓବିସି ଆରକ୍ଷଣ ନିର୍ଦ୍ଧାରଣ କରିବା ପାଇଁ ଏକ ଉଦ୍ଦିଷ୍ଟ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ଟ୍ରିପଲ ଟେଷ୍ଟ ଫର୍ମୁଲା ପାଳନ ହୋଇପାରିବ ବୋଲି ହାଇକୋର୍ଟ କହିଥିଲେ। କେବଳ ସେତିକି ନୁହେଁ ରାଜ୍ୟରେ ପ୍ରଶାସକଙ୍କ ନିଯୁକ୍ତିକୁ ମଧ୍ୟ ରଦ୍ଦ କରିଦେଇଥିଲେ। ସେହି ସ୍ଥାନରେ ୩ ସଦସ୍ୟଯୁକ୍ତ କମିଟି ଗଠନ କରାଯାଉ। ଯେଉଁଥିରେ ଡିଏମ୍ ଓ ନଗର କମିଶନ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସଦସ୍ୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହାରି ଭିତରେ ଯୋଗୀ ସରକାର ଓବିସି ସଂରକ୍ଷଣ କମିଟି ଗଠନ କରିସାରିଥିଲେ। ତେବେ ଆଜି ଶୁଣାଣି ବେଳେ ଯୋଗୀ ସରକାର କହିଥିଲେ ଯେ କମିଶନ ରିପୋର୍ଟ ଦେବାକୁ ୩ ମାସ ସମୟ ଲାଗିବା। ଏହାପରେ କୋର୍ଟ କହିଥିଲେ ଯେ ୩ ମାସ ସମୟ ଅଧିକ ହେଇଯାଉଛି। କମ ସମୟରେ କଲେ ଭଲ ହୁଅନ୍ତା। ହେଲେ ୟୁପି ସରକାର କହିଥିଲେ ଯେ କମିସନ ପାଇଁ ନିଯୁକ୍ତି ବିଚାରପତିଙ୍କୁ ପଚାରି ସମୟ କହିହେବ। ଏହାପରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ। ତେବେ ତିନି ସପ୍ତାହ ପର୍ଯ୍ୟନ୍ତ ଏହି ରହିତାଦେଶ ଜାରି ହୋଇଛି। ଏହାପରେ ମାମଲାର ପୁଣିଥରେ ଶୁଣାଣି ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.