ବିଜେପି ନେତାଙ୍କ ବିରୋଧରେ ଯାଇଥିଲେ କୋର୍ଟ, ନିଜେ ଅଡୁଆରେ ପଡିଲେ ହର୍ଷ ମନ୍ଦର.. ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ମାଗିଲେ ରେକର୍ଡ
4/03/2020 at 7:15 PM

ନୂଆଦିଲ୍ଲୀ ୦୪।୦୩- ବିଜେପିର ତିନି ନେତା ଅନୁରାଗ ଠାକୁର, କପିଲ ମିଶ୍ର ଓ ପରବେଶ ବର୍ମାଙ୍କ ବିରୋଧରେ ଉତ୍ତେଜନାମୂଳକ ଭାଷଣ ନେଇ ଏଫଆଇଆର ରୁଜୁ କରିବା ଦାବି ନେଇ ସୁପ୍ରିମକୋର୍ଟ ପହଞ୍ଚିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ହର୍ଷ ମନ୍ଦର ନିଜେ ଅଡୁଆରେ ପଡିଛନ୍ତି। କୋର୍ଟ ହର୍ଷ ମନ୍ଦରଙ୍କୁ ତାଗିଦ୍ କରି ତାଙ୍କର ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି ଏସଏ ବୋବଡେ କହିଛନ୍ତି ଯେ, ଆପଣଙ୍କ ଯାଚିକା ଉପରେ ସେ ପର୍ଯ୍ୟନ୍ତ ଶୁଣାଣି ହେବ ନାହିଁ ଯେ ପର୍ଯ୍ୟନ୍ତ ନ୍ୟାୟପାଳିକାକୁ ନେଇ ଆପଣ କରିଥିବା ବୟାନ ସମ୍ବନ୍ଧିତ ମାମଲାର ବିଚାର ନହୋଇଛି।
ସିଜେଆଇ ନାଗରିକତା ଆଇନକୁ ନେଇ ହର୍ଷ ମନ୍ଦରଙ୍କ ବୟାନ ଉଲ୍ଲେଖ କରି କହିଛନ୍ତି ଯେ, ଆପଣ ସୁପ୍ରିମକୋର୍ଟ ବିରୋଧରେ ବୟାନ ଦେଇଛନ୍ତି। ଆମେ ଏବେ ଆପଣଙ୍କ ଆବେଦନ ଉପରେ ଶୁଣାଣି କରିବୁ ନାହିଁ। ଯଦି ହର୍ଷ ମନ୍ଦରଙ୍କୁ ସୁପ୍ରିମକୋର୍ଟ ବିଷୟରେ ଏମିତି ଲାଗୁଛି ତେବେ ପ୍ରଥମେ ନିଜେ ଦେଇଥିବା ବିବାଦୀୟ ବୟାନର ବିଚାର ହେବ।
ଦିଲ୍ଲୀ ହିଂସା ମାମଲାରେ ପୀଡିତଙ୍କ ସହିତ ହର୍ଷ ମନ୍ଦର ମଧ୍ୟ କୋର୍ଟରେ ଆବେଦନ ଦାୟର କରିଛନ୍ତି। ସେ ନିକଟରେ ବୟାନ ଦେଇଥିଲେ ଯେ, ସୁପ୍ରିମକୋର୍ଟ ଉପରେ ଭରସା ହେଉ ନାହିଁ। ତଥାପି ଆମେ ବିଜେପି ନେତାଙ୍କ ବିରୋଧରେ କୋର୍ଟର ଶରଣ ନେଉଛୁ। ସିଜେଆଇ ବୋବଡେ ମନ୍ଦରଙ୍କ ଭାଷଣର ଅନୁବାଦ ମଗାଇଛନ୍ତି। ହର୍ଷ ମନ୍ଦରଙ୍କ ମାମଲାରେ ନ୍ୟାୟାଳୟ ଶୁକ୍ରବାର ଶୁଣାଣି କରିବେ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ବିଜେପିର ଆଇଟି ସେଲର ମୁଖ୍ୟ ଅମିତ୍ ମାଲବୀୟ ବୁଧବାର ହର୍ଷ ମନ୍ଦରଙ୍କ ଏକ ଭିଡିଓ ଟ୍ଵିଟ୍ କରିଥିଲେ। ଏଥିରେ ମନ୍ଦର କହୁଛନ୍ତି ଯେ, ଏବେ ନିଷ୍ପତ୍ତି ସଂସଦ କିମ୍ବା ସୁପ୍ରିମକୋର୍ଟରେ ନୁହଁ ସଡକରେ ହିଁ ନିଆଯିବ। ମନ୍ଦର କହୁଛନ୍ତି, ସୁପ୍ରିମକୋର୍ଟ ଅଯୋଧ୍ୟା ଓ କାଶ୍ମୀର ମାମଲାରେ ମାନବିକତା ଓ ଧର୍ମନିରପେକ୍ଷତା ରକ୍ଷା କରି ନାହାନ୍ତି। ଏଥିପାଇଁ ଲୋକେ ଏବେ ସଡକରେ ନିଜ ଭବିଷ୍ୟତର ନିଷ୍ପତ୍ତି ନେବେ।
ହର୍ଷ ମନ୍ଦର ନିଜେ ଯାଚିକାରେ କଣ କହିଛନ୍ତି ?
ହର୍ଷ ମନ୍ଦର ନିଜର ଆବେଦନରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ବିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅଭିଯୋଗ ହେଉଛି ଯେ, ଏହି ବ୍ୟକ୍ତିଙ୍କ ଉତ୍ତେଜନାମୂଳକ ଭାଷଣ ଦିଲ୍ଲୀ ହିଂସାର ପ୍ରମୁଖ କାରଣ। ଉଲ୍ଲେଖନୀୟ ଦିଲ୍ଲୀ ହିଂସାରେ ଅଦ୍ୟାବଧି ୪୮ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।