ସୁପ୍ରିମକୋର୍ଟଙ୍କ ଉପରେ ଥିଲା ସମସ୍ତଙ୍କ ନଜର; ଜ୍ଞାନବାପୀ ମସ୍‌ଜିଦ୍‌ ମାମଲାର ଶୁଣାଣି କରି ଏମିତି ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଜ୍ଞାନବାପୀ ମସ୍‌ଜିଦ୍‌ ମାମଲାର ଶୁଣାଣି ହେବାର ଥିଲା। ଏଥିପାଇଁ ଗଣମାଧ୍ୟମ ଠାରୁ ଆରମ୍ଭ କରି ସମସ୍ତଙ୍କ ନଜର କୋର୍ଟଙ୍କ ଉପରେ ରହିଥିଲା। ହେଲେ ସର୍ବୋଚ୍ଚ ଅଦାଲତ କିନ୍ତୁ ମାମଲାକୁ ବାରାଣସୀର ଜିଲ୍ଲା କୋର୍ଟକୁ ହସ୍ତାନ୍ତର କରିଛନ୍ତି।

ମାମଲା ହସ୍ତାନ୍ତର ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜିଲ୍ଲା କୋର୍ଟଙ୍କ ପାଖରେ ୨୫ ବର୍ଷର ଅଭିଜ୍ଞତା ରହିଛି। ତେଣୁ ଆମେ ଜିଲ୍ଲା କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇପାରିବା ନାହିଁ। ଏଥିସହିତ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସିଲ୍ କରିବା, ମସ୍‌ଜିଦ୍‌ରେ କମ୍ ସଂଖ୍ୟକ ମୁସଲମାନଙ୍କୁ ନମାଜ୍ ପାଠକୁ ଅନୁମତି ଓ ୱଜୁ କରିବା ଉପରେ କୋର୍ଟ ଦେଇଥିବା ଅନ୍ତରୀଣ ରାୟକୁ କାଏମ ରଖିଛନ୍ତି। ଏନେଇ କୋର୍ଟ କହିଛନ୍ତି ଯେ ମେ ୧୭ ତାରିଖରେ ଲାଗୁ କରାଯାଇଥିବା ଆଦେଶ ୮ ସପ୍ତାହ ଅର୍ଥା ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ଏହାପରେ ଯାଇ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ ବୋଲି ବିଚାରପତି କହିଛନ୍ତି।

ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏଗୁଡ଼ିକ ସବୁ ଜଟିଳ ସାମାଜିକ ସମସ୍ୟା। ତେଣୁ ମଣିଷ ଏହାର ସଠିକ୍ ସମାଧାନ କରିପାରିବ ନାହିଁ। ମାମଲାରେ ଶାନ୍ତି କାଏମ୍ ରଖିବା ପାଇଁ ଆମ ନିର୍ଦ୍ଦେଶ ଥିଲା। ଏହାର ସମାଧାନ ଅନ୍ତରୀଣ ଆଦେଶରେ ହୋଇପାରେ। ଆମେ ଦେଶର ଏକତା ପାଇଁ ଏକ ମିଳିତ ଅଭିଯାନରେ ଅଛୁ ବୋଲି କୋର୍ଟ କହିଛନ୍ତି।।

ଅନ୍ୟପଟେ ସର୍ଭେ ରିପୋର୍ଟ ଗଣମାଧ୍ୟମରେ ଲିକ୍ ହେବା ନେଇ ମୁସଲମାନ ପକ୍ଷର ଓକିଲ ହୁଜେଫା ଅହମଦୀ ଅଭିଯୋଗ କରିଛନ୍ତି। ଏହାପରେ ନିଜର ବିଚାର ପ୍ରକାଶ କରି କୋର୍ଟ କହିଛନ୍ତି ଯେ ଥରେ ଏଠାକୁ ରିପୋର୍ଟ ଆସିବା ପରେ ଏଠାରୁ ସ୍ୱାର୍ଥ ଆଧାରରେ ତଥ୍ୟ ଲିକ୍ ହୋଇପାରେନା। ରିପୋର୍ଟ ଲିକ୍ ନହେବା ଦରକାର। ଏହାକୁ କେବଳ ବିଚାରପତି ହିଁ ଖୋଲିପାରିବେ ବୋଲି କୋର୍ଟ ଉପଦେଶ ଦେଇଛନ୍ତି।

ହିନ୍ଦୁ ପକ୍ଷର ଯୁକ୍ତି

ମାମଲା ଯେହେତୁ ୧୦୦ ବର୍ଷ ପୁରୁଣା ସମୟର ତେଣୁ ଏହା ୧୯୯୧ର ପ୍ଲେସେଜ୍‌ ଅଫ୍‌ ୱର୍ଶିପ୍ ଆକ୍ଟ ଅଧୀନରେ ଆସିପାରିବ ନାହିଁ। ତେଣୁ ଏଭଳି ସ୍ଥିତିରେ ମାମଲାର ଶୁଣାଣି ଓ ସର୍ଭେ ପାଇଁ କୋର୍ଟଙ୍କ କମିଶନ ଗଠନ ଉପରେ ପ୍ରଶ୍ନ ଉଠାଯାଇ ପାରିବ ନାହିଁ।  ଅନ୍ୟପଟେ ମୁସଲମାନ ପକ୍ଷ ସର୍ଭେ ତଥ୍ୟ ଲିକ୍ ନେଇ ପ୍ରଶ୍ନ ଉଠାଇବା ପରେ ସୁପ୍ରିମକୋର୍ଟ ତାଗିଦ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.