ନୂଆଦିଲ୍ଲୀ ୨୪/୦୨ : ସୁପ୍ରିମକୋର୍ଟ ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ହିନ୍ଦୁ ମହିଳା ନିଜ ଅର୍ଜନ କରିଥିବା ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କ ପିତା କିମ୍ବା ନିଜ ପିତାଙ୍କ ପରିବାର ସହ ଜଡିତ ସମ୍ପର୍କୀୟ ମହିଳାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରିବେ। ଏମାନଙ୍କୁ ପରିବାର ବାହାର ସଦସ୍ୟ କୁହାଯିବନାହିଁ। ଏମାନେ ହିନ୍ଦୁ ଉତ୍ତରାଧିକାରୀ ଆଇନ ଧାରା ୧୫.୧ ଡି ଅନୁସାରେ ଉତ୍ତରାଧିକାରୀ ହୋଇପାରିବେ।
ଏହି ରାୟରେ ଶୀର୍ଷ ଅଦାଲତ କହିଛନ୍ତି ଯେ ମହିଳାଙ୍କ ପିତାଙ୍କ ତରଫରୁ ପରିଜନ ହିନ୍ଦୁ ଉତ୍ତରାଧିକାରୀ ଆଇନ ୧୯୫୬ ଧାରା ୧୫.୧ ଡି ଅନୁସାରେ ଉତ୍ତରାଧିକାରୀ ଅଧୀନରେ ଆସିବେ। ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି ଯେ ଧାରା ୧୩.୧ ଡିରେ ସ୍ପଷ୍ଟ ଜାହିର କରାଯାଇଛି ଯେ ମହିଳାଙ୍କ ପିତାଙ୍କ ଉତ୍ତରାଧିକାରୀଙ୍କୁ ମହିଳାଙ୍କ ଉତ୍ତରାଧିକାରୀ ଭାବେ ଗ୍ରହଣୀୟ। ମହିଳାଙ୍କ ଅର୍ଜିତ ସମ୍ପତ୍ତିରେ ଏମାନଙ୍କ ଅଧିକାର ଅଛି।
କୋର୍ଟ ଏହି ରାୟ ଏମିତି ଏକ ମାମଲାରେ ଦେଇଛନ୍ତି ଯେଉଁଠି, ଜଗ୍ନୋ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି ମିଳିଥିଲା। ୧୯୫୩ରେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କର କୌଣସି ପୁଅଝିଅ ନଥିଲେ। ସେଥିପାଇଁ କୃଷି ସମ୍ପତ୍ତିର ଅଧା ସ୍ତ୍ରୀଙ୍କୁ ମିଳିଥିଲା। ଉତ୍ତରାଧିକାରୀ ଆଇନ ୧୯୫୬ ହେବାପରେ ଧାରା ୧୪ ଅନୁସାରେ ସ୍ତ୍ରୀ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ। ଏହାପରେ ଜଗ୍ନୋ ଏହି ସମ୍ପତ୍ତି ପାଇଁ ଏକ ଚୁକ୍ତି କରିଥିଲେ ଓ ସମ୍ପତ୍ତି ନିଜ ଭାଇ ପୁଅ ନାଁରେ କରିଦେଇଥିଲେ।
୧୯୯୧ ମସିହାରେ ତାଙ୍କ ଭାଇଙ୍କ ପୁଅ ସିଭିଲ କୋର୍ଟରେ ମାମଲା ଦାଏର କରିଥିଲେ ଯେ ତାଙ୍କୁ ମିଳିଥିବା ସମ୍ପତ୍ତିର ମାଲିକାନା ସେମାନଙ୍କ ସପକ୍ଷରେ ଘୋଷଣା କରାଯାଉ। ଜଗ୍ନୋ ଏଥିପାଇଁ ପ୍ରତିବାଦ ନ କରି ଓ ଅନୁମତି ଦେଇଥିଲେ। କୋର୍ଟ ସମ୍ପତ୍ତିର ମାଲିକାନା ଜଗ୍ନୋଙ୍କ ଭାଇଙ୍କ ପୁଅମାନଙ୍କ ନାଁରେ କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ସମ୍ପତ୍ତିର ଏହି ସ୍ଥାନତାରଣକୁ ଜଗ୍ନୋଙ୍କ ସ୍ୱାମୀଙ୍କ ଭାଇମାନେ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ଜଣେ ହିନ୍ଦୁ ବିଧବା ମହିଳା ନିଜ ପିତାଙ୍କ ପରିବାର ସହ ସଂଯୁକ୍ତ ହିନ୍ଦୁ ପରିବାର ହୋଇପାରିବ ନାହିଁ। ସେଥିପାଇଁ ତାଙ୍କ ପିତାଙ୍କ ପରିବାର ସଦସ୍ୟଙ୍କ ନାଁରେ ସମ୍ପତ୍ତି କରାଯାଇ ପାରିବନାହିଁ। ପାରିବାରିକ ସମାଧାନ ସେମାନଙ୍କ ସହ ହିଁ ହୋଇପାରିବ ଯେଉଁମାନଙ୍କର ସମ୍ପତ୍ତି ଉପରେ ପୂର୍ବରୁ ଅଧିକାର ଅଛି। କିନ୍ତୁ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ। ତାପରେ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି କରିଛନ୍ତି ଯେ ମହିଳାଙ୍କ ପିତାଙ୍କ ପରିବାର ମହିଳାଙ୍କ ପରିବାରର ଅଂଶ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ସମ୍ପତ୍ତି ପୂର୍ବରୁ ଅଧିକୃତ ତା'ଉପରେ ଯଦି କୌଣସି ସୁପାରିଶ ହୁଏ ତାହେଲେ ତାକୁ ପଞ୍ଜୀକରଣ ଆକ୍ଟ ଧାରା ୧୭.୨ ଅନୁଯାୟୀ ପଞ୍ଜୀକୃତ କରିବାର କୌଣସି ଆବଶ୍ୟକତା ନାହିଁ।