ନୂଆଦିଲ୍ଲୀ,୦୮/୦୩: ମରାଠା ସଂରକ୍ଷଣ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ୫ଜଣିଆ ଖଣ୍ଡପୀଠ ଏହି ମାମଲାରେ ମାର୍ଚ୍ଚ ୧୮ ଯାଏଁ ଶୁଣାଣି କରିବେ । ସୁପ୍ରିମକୋର୍ଟ ସୋମବାର ଶୁଣାଣି ହେଳେ କହିଥିଲେ ଯେ, ସଂରକ୍ଷଣ ପ୍ରସଙ୍ଗରେ ସମସ୍ତ ରାଜ୍ୟର ମତ ନେବା ଆବଶ୍ୟକ ।
ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ସଂରକ୍ଷଣ ସୀମା ୫୦ ପ୍ରତିଶତ ବୃଦ୍ଧି କରାଯାଇ ପାରିବ କି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ଆଗାମୀ ଶୁଣାଣି ମାର୍ଚ୍ଚ ୧୫ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି । ଶୁଣାଣି ବେଳେ ବରିଷ୍ଠ ଅଧିବକ୍ତା ଗୋପାଳ ଶଙ୍କରନାରାୟଣ କହିଥିଲେ ଯେ, ସଂରକ୍ଷଣ ପ୍ରସଙ୍ଗରେ ଅନେକ ରାଜ୍ୟ ସ୍ୱାର ଉତ୍ତୋଳନ କରିଛନ୍ତି । ଯାହା ଭିନ୍ନ ଭିନ୍ନ ବିଷୟକୁ ନେଇ ରହିଛି । ଆର୍ଥିକ ଆଧାରରେ ୧୦ ପ୍ରତିଶତ, ଜାତି ଆଧାରରେ ମଧ୍ୟ ସଂରକ୍ଷଣ ପ୍ରସଙ୍ଗ ଉଠାଇଛନ୍ତି ।
ସେହିପରି ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ, ଏହି ମାମଲା ଧାରା ୩୪୨କ ରେ ସାମିଲ ଅଛି । ଯାହା ରାଜ୍ୟକୁ ପ୍ରଭାବିତ କରିବ । ତେଣୁ ଏକ ଯାଚିକା ଦାଖଲ କରାଯାଇଛି । ସମସ୍ତ ରାଜ୍ୟର ମତାମତ ନେବା ଆବଶ୍ୟକ । ରାଜ୍ୟର ମତ ନନେଇ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ।
କପିଲ ସିବ୍ବଲ କହିଥିଲେ ଯେ, ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟକୁ ସାମ୍ବିଧାନିକ ପ୍ରଶ୍ନ ପଚରା ଯାଇଛି । କୋର୍ଟ କେବଳ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ଶୁଣାଣି କରୁନାହାଁନ୍ତି । ସମସ୍ତ ରାଜ୍ୟକୁ ନୋଟିସ୍ କରିବା ଆବଶ୍ୟକ ।
କଣ ରହିଛି ବିବାଦ
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମରାଠାମାନେ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ପାଇଁ ଦୀର୍ଘଦିନ ହେବା ଦାବି କରୁଛନ୍ତି । ୨୦୧୮ରେ ରାଜ୍ୟ ସରକାର ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଦେବାକୁ ଆଇନ କରିଥିଲେ । କିନ୍ତୁ ହାଇକୋର୍ଟ ଏକ ଆଦେଶରେ ଏହି ସୀମାକୁ କମାଇ ଦେଇଥିଲେ ।
ଏବେ କିନ୍ତୁ ମାମଲା ସୁପ୍ରିମକୋର୍ଟରେ ପହଁଚିବା ପରେ କୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ଏହି ମାମଲା କୋର୍ଟ ବଡ ବେଞ୍ଚକୁ ପଠାଇ ଦେଇଛନ୍ତି ।