କୃଷକଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ଅନ୍ୟମାନଙ୍କର କ୍ଷତି କରିବାର ହକ୍ ସେମାନଙ୍କ ପାଖରେ ନାହିଁ : ସୁପ୍ରିମକୋର୍ଟ

Published By : Prameya-News7 Bureau | December 17, 2020 IST

ନୂଆଦିଲ୍ଲୀ,୧୭/୧୨:  ଦୀର୍ଘ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ ଶେଷରେ ସୁପ୍ରିମକୋର୍ଟରେ ପହଁଚିଛି । ଗୁରୁବାର ମାନ୍ୟବାର ସୁପ୍ରିମକୋର୍ଟ କୃଷି ଆଇନ ଓ କୃଷକଙ୍କ ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି । ଏହାସହ ବିରୋଧ ପ୍ରଦର୍ଶନ କରିବା ମନା ନୁହେଁ କିନ୍ତୁ ଆଲୋଚନା ବି କରିବା ଜରୁରୀ ବୋଲି କୋର୍ଟ କହିଛନ୍ତି ।

ପଞ୍ଜାବ ସରକାରଙ୍କ ତରଫରୁ ପି ଚିଦାମ୍ବରମ ମାମଲାରେ ପକ୍ଷ ରଖିଥିଲେ । ସେ କହିଥିଲେ ଯେ, ଯଦି କୋର୍ଟ କମିଟି ଗଠନ କରନ୍ତି ତେବେ ପଞ୍ଜାବ ସରକାର ଏହାକୁ ନେଇ ଆପତ୍ତି ପ୍ରକାଶ କରିବେ ନାହିଁ । ସମସ୍ତ ପକ୍ଷ ଓ ତର୍କ ବିତର୍କ ପରେ କୋର୍ଟ କହିଥିଲେ ଯେ, ଧାରଣା କରିବା ପାଇଁ କାହାକୁ ମନା ନାହିଁ । କିନ୍ତୁ ଏହାର ଏକ ନିର୍ଦ୍ଦିଷ୍ଟ ଦିଗ ରହିବା ଦରକାର । ଆଲୋଚନା ମାଧ୍ୟମରେ କୌଣସି ସମାଧାନର ରାସ୍ତା ପାଇଁ ଉଦ୍ୟମ କରିବା ଆବଶ୍ୟକ । କୋର୍ଟ ମଧ୍ୟ କୃଷକଙ୍କ ସମସ୍ୟାର ସମାଧାନ ଚାହାଁନ୍ତି ।

କୋର୍ଟ ଆହୁରି କହିଛନ୍ତି ଯେ, କୃଷକମାନେ ବହୁ ସଂଖ୍ୟାରେ ଦିଲ୍ଲୀରେ ପ୍ରବେଶ କରିବେ ନା ନାହିଁ ସେହି ନିଷ୍ପତ୍ତି ପୋଲିସ ନେବ । କୋର୍ଟ କିମ୍ବା ସରକାର ଏହା ଉପରେ କିଛି କରିପାରିବେ ନାହିଁ । ଦିଲ୍ଲୀର ପ୍ରବେଶ ପଥ ଏପରି ଭାବେ ବନ୍ଦ କରିବା ଠିକ୍ ନୁହେଁ । ଏପରି କରିବା ଦ୍ୱାରା ଦିଲ୍ଲୀବାସୀ ଭୋକିଲା ରହିଯିବେ । ଏହାସହ ସମସ୍ତ ପକ୍ଷ ଶୁଣିବା ପରେ ହିଁ କୌଣସି ଆଦେଶ ଜାରି କରିବେ ବୋଲି କୋର୍ଟ କହିଛନ୍ତି । ଏହାସହ ଶନିବାର ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ କୃଷକ ୟୁନିଅନ ପକ୍ଷରୁ ବରିଷ୍ଠ ଓକିଲ ଏପି ସିଂ ମାମଲା ଲଢୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.