RBIଙ୍କ ସର୍କୁଲାର ସୁପ୍ରିମକୋର୍ଟରେ ଖାରଜ, ଏବେ Crypto currencyରେ ବି କରିହେବ କାରବାର
4/03/2020 at 2:10 PM

ନୂଆଦିଲ୍ଲୀ ୪।୩: କ୍ରେପ୍ଟୋ କରେନ୍ସି ଓ ବିଟ୍ କଏନ୍ ଆଦି ଉପରେ ରୋକ ଲଗାଉଥିବା ଆରବିଆଙ୍କ ସର୍କୁଲାରକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏ ନେଇ ଇଣ୍ଟରନେଟ୍ ଏଣ୍ଡ ମୋବାଇଲ ଆସୋସିଏସନ ଅଫ ଇଣ୍ଡିଆ କରିଥିବା ଆବଦେନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଫଳରେ କ୍ରେପ୍ଟୋ କରେନ୍ସି ଟ୍ରେଡିଂ ଏବେ ଦେଶରେ ବୈଧ ହେବ।

ତେବେ କ୍ରେପ୍ଟୋ କରେନ୍ସି ଓ ବିଟ୍ କଏନ ଯୋଗୁ ମନି ଲଣ୍ଡ୍ରିଂ ଓ ଟେରର ଫଣ୍ଡିଙ୍ଗର ଭୟ ଥିବାରୁ ଏହା ଉପରେ କଟକଣା ଜାରି କରାଯାଇଥିବା ଆରବିଆଇ କୋର୍ଟଙ୍କୁ ଜଣାଇଥିଲେ। ଜଷ୍ଟିସ୍ ରୋହିଣ୍ଟନ ନରିମେନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଫଳରେ ୨୦୧୮ ମସିହାରେ ଦେଶରେ ଅବୈଧ ହୋଇଥିବା କ୍ରେପ୍ଟୋ କରେନ୍ସୀ କାରବାର ଏବେ ବୈଧ ହୋଇପାରିବ।

ବିଶ୍ୱରେ ଅନେକ ପ୍ରକାରର ଭର୍ଚୁଆଲ କରେନ୍ସି କାରବାର ହେଉଛି। ଏଥିରେ ବିଟ୍ କଏନର ମୂଲ୍ୟ ସର୍ବାଧିକ ରହିଛି। ଏହାର ମାର୍କେଟ୍ କ୍ୟାପ୍ ୧୬୧ ବିଲିୟନ ଡଲାରରୁ ବି ଅଧିକ। ତେବେ କ୍ରେପ୍ଟୋ କରେନ୍ସି କାରବାର ଦେଶର କୌଣସି ବ୍ୟାଙ୍କରେ ହୋଇନଥାଏ। ଏହା କେବଳ ଡିଜିଟାଲ ମାର୍କେଟରେ ଚଳିଥାଏ। ତେବେ ଭାରତରେ ଏଭଳି ମୁଦ୍ରାର କାରବାର ବେଆଇନ ଥିବା ବେଳେ ଏଥିଲାଗି ୧୦ ବର୍ଷ ଜେଲଦଣ୍ଡ ପ୍ରାବଧାନ ବି ରହିଛି।