ନୂଆଦିଲ୍ଲୀ ୧୫/୧୨ : ସୁପ୍ରିମକୋର୍ଟ ସୋମବାର ଉତ୍ତର ପ୍ରଦେଶର ଏକ ହତ୍ୟା ମାମଲାର ତଦନ୍ତ ଫାଇଲକୁ ପୁଣି ଖୋଲିଛନ୍ତି । ବହୁଜନ ସମାଜ ପାର୍ଟିର ନେତାଙ୍କୁ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକଙ୍କ ବିରୁଦ୍ଧରେ ହୋଇଥିବା ମାମଲାକୁ ପୁନଶ୍ଚ ତଦନ୍ତ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁଶୀଲ ସିଂହଙ୍କ ନାଁରେ ହୋଇଥିବା ହତ୍ୟା ମାମଲାରେ ପୂର୍ବରୁ କୋର୍ଟ କ୍ଲିନ ଚିଟ୍ ଦେଇଥିଲେ ।
ତେବେ ପୂର୍ବରୁ ଦିଆଯାଇଥିବା କ୍ଲିନ୍ ଚିଟକୁ କୋର୍ଟ ବାସନ୍ଦ କରିବା ସହିତ ମାମଲାର ପୁନଃ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ୨୦୧୫ ମସିହାରେ ବହୁଜନ ସମାଜ ପାର୍ଟି ନେତା ରାମ ବିହାରୀ ଚୌବେଙ୍କୁ ହତ୍ୟା କରାଯାଇଥିଲା । ଜଷ୍ଟିସ୍ ରୋହିନଟୋନ୍ ଏଫ୍ ନରିମାନଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ତଦନ୍ତ ରିପୋର୍ଟକୁ ଦେଖି ସାରିବା ପରେ ପୁନଶ୍ଚ ଏହାର ତଦନ୍ତ ଏସଆଇଟି ଦ୍ବାରା କରାଇବାକୁ ନିର୍ଦେଶ ଦେଇଛନ୍ତି ।
ତେବେ ଏହି ଘଟଣାରେ ପୋଲିସର ସନ୍ଦେହପୂର୍ଣ୍ଣ ତଦନ୍ତକୁ ନେଇ ଜଷ୍ଟିସ୍ ନବୀନ ସିହ୍ନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଜେପି ବିଧାୟକଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ଘଟଣାର ତଦନ୍ତକୁ ତରବରିଆ ଭାବେ ସାରିଦେଇ ଚାର୍ଜସିଟ ଦାଖଲ କରିବା ସହିତ ଫାଇଲ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଥିଲା । ଆଲ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ବିଧାୟକ ସୁଶୀଲ ସିଂହଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ । ମୃତ ବିଏସପି ତେନାଙ୍କ ପୁଅ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରିବା ପରେ କେସର ପୁନଶ୍ଚ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ତେବେ ଶୁଣାଣି କରି ସୁପ୍ରିମକୋର୍ଟ ଦିଆଯାଇଥିବା କ୍ଲିନ୍ ଚିଟକୁ ରଦ୍ଦ କରିବା ସହିତ ମାମଲାର ତଦନ୍ତ ଏସଆଇଟି ଦ୍ବାରା କରାଇବାକୁ ନିର୍ଦେଶ ଦେଇଛନ୍ତି ।