ନୂପୁର ଶର୍ମାଙ୍କ ଗିରଫ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
9/09/2022 at 10:24 PM

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କ ଗିରଫ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ନୂପୁରଙ୍କୁ ଗିରଫ କରିବା ସହ ନିରପେକ୍ଷ ତଦନ୍ତ ଦାବି କରି ଜଣେ ଓକିଲ କୋର୍ଟରେ ଆବେଦନ କରିଥିଲେ। ହେଲେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଆବେଦନରେ ଶୁଣାଣି କରିବାରେ ଅନିଚ୍ଛା ପ୍ରକାଶ କରିବା ସହ ଏହାକୁ ଖାରଜ କରିଦେଇଛନ୍ତି।
ଆବେଦକଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଓକିଲ ଖଣ୍ଡପୀଠଙ୍କ ଆଗରେ ଯୁକ୍ତି ରଖିଥିଲେ। ଭିଡ଼ ହିଂସାକୁ ନେଇ ତେହେସିନ ପୁନାୱାଲା ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି ବୋଲି ସେ କହିଥିଲେ। ଏହାପରେ ଖଣ୍ଡପୀଠ କହିଥିଲେ “ ଏଭଳି ଆବେଦନ ହୁଏତ ସରଳ ହାନୀକାରକ ହୋଇନପାରେ। ତେବେ ଏହାର ପ୍ରଭାବ ବହୁତ ଦୂର ପର୍ଯ୍ୟନ୍ତ ପଡ଼ିବ। ତେଣୁ ଏଭଳି ନିର୍ଦ୍ଦେଶ ଦେବା ପୂର୍ବରୁ କୋର୍ଟଙ୍କୁ ସଚେତନ ହେବାକୁ ପଡ଼ିଥାଏ। ଏଥିପାଇଁ ଅଦାଲତ ଆପଣଙ୍କୁ ଏହି ଆବେଦନକୁ ଉଠାଇ ନେବାକୁ ପରାମର୍ଶ ଦେଉଛି।” ଏହାପରେ ଆବେଦନକୁ ଉଠାଇ ନିଆଯିବା ପରେ ମାମଲା ଖାରଜ ହୋଇଯାଇଛି।