ଧାର୍ମିକ ଶୋଭାଯାତ୍ରାରେ ରୋକ୍ ଲଗାଇବା ଆବେଦନ ଖାରଜ, ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ: ଧାର୍ମିକ ଶୋଭାଯାତ୍ରାରେ ରୋକ୍ ଲଗାଇବା ଅବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଲୋକଙ୍କ ଧର୍ମୀୟ ଭାବନା ଉପରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସିଧା ସିଧା ସର୍ବୋଚ୍ଚ ଅଦାଲତ ମନାକରିଛନ୍ତି । ଶୋଭାଯାତ୍ରା ଉପରେ ରୋକ୍ ଲଗାଇବା ରାଜ୍ୟ ଆଇନ ଅଧୀନରେ ଆସୁଛି । ତେଣୁ ରାଜ୍ୟ ସରକାର ଏହା ଉପରେ ବିଚାର କରିବେ ବୋଲି କୋର୍ଟ କହିଛନ୍ତି ।

ସିଟିଜେନ୍ସ ଫର୍ ଜଷ୍ଟିସ୍ ଆଣ୍ଡ ପିସ୍ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାୟର  ହୋଇଥିଲା । ଧାର୍ମିକ ଶୋଭାଯାତ୍ରା ପ୍ରଦର୍ଶନ ଉପରେ ରୋକ୍ ଲଗାଇବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ ଆବେଦନକାରୀ । ଯାଚିକାରେ କୁହାଯାଇଥିଲା, ପ୍ରତିଦିନ ଦେଶରେ ଭିନ୍ନ ଭିନ୍ନ ଧର୍ମୀୟ ଶୋଭାଯାତ୍ରା ହେଉଛି । ଏହି ସମୟରେ ଅନେକ ସମ୍ବେଦନଶୀଳ ଘଟଣା ଘଟୁଛି । ତେଣୁ ଏହା ଉପରେ ରୋକ୍ ଲଗାଯାଉ । ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହା ରାଜ୍ୟ ଆଇନ ବ୍ୟବସ୍ଥାରେ ଆସୁଛି । ପୋଲିସ ମଧ୍ୟ ରାଜ୍ୟ ଅଧୀନରେ ଆସୁଛି । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଧର୍ମର ଶୋଭାଯାତ୍ରା ହେଉଛି, ତେଣୁ ଏହାକୁ ରାଜ୍ୟ ସରକାର ବିଚାର କରିବେ ବୋଲି କୋର୍ଟ କହିଛନ୍ତି ।

ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ମହାରାଷ୍ଟ୍ର ଗଣେଷ ପୂଜାକୁ ଉଦାହରଣକୁ ନେଇଥିଲେ । ଶ୍ରୀ ଗଣେଷ ବିସର୍ଜନରେ କୌଣସି ପ୍ରକାର ଦଙ୍ଗା ଦେଖିବାକୁ ମିଳୁନାହିଁ ବୋଲି କୋର୍ଟ କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.