ଅଟକିବନି ନିଟ୍ ୟୁଜି ଛାତ୍ରଛାତ୍ରୀଙ୍କ କାଉନସେଲିଂ; ଏନଟିଏକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ: ନିଟ୍ ୟୁଜି ଛାତ୍ରଛାତ୍ରୀଙ୍କ କାଉନସେଲିଂରେ ଲାଗିବନି ରୋକ୍ । ସୁପ୍ରିମକୋର୍ଟ କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି । ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ସର୍ବୋଚ୍ଚ ଅଦାଲତରେ ଏକ ମାମଲା ଦାୟର ହୋଇଥିଲା । ଏଥିରେ ଛାତ୍ରଛାତ୍ରୀଙ୍କ କାଉନସେଲିଂ ବନ୍ଦ କରିବାକୁ ଦାବି ହୋଇଥିଲା । ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କୋର୍ଟ କାଉନସେଲିଂ ବନ୍ଦ କରିବାକୁ ମନା କରିଛନ୍ତି । ହେଲେ ନିଟ୍ ୟୁଜି ରେଜଲ୍ଟ ପ୍ରଭାବିତ ହୋଇଥିବା ଦାବିକୁ ସ୍ବୀକାର କରି ସରକାର ଏବଂ ଏନଟିଏକୁ ଜବାବ ତଲବ କରିଛନ୍ତି ।

ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ୧୦ ଆବେଦନକାରୀ ଶୀର୍ଷ ଅଦାଲତରେ ମାମଲା ଦାୟର କରିଥିଲେ। ୧୦ ଆବେଦନକାରୀ କାଉନସେଲିଂ ବନ୍ଦ କରିବାକୁ ଦାବି କରିଥିଲା । ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ଅହସାନୁଦ୍ଧିନ ଅମାନୁଲ୍ଲାହଙ୍କ ସ୍ବତନ୍ତ୍ର ବେଞ୍ଚ୍ କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି । ପୂର୍ବ ପରି କାଉନସେଲିଂ ଜାରି ରହିବ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୮ ତାରିଖରେ ହେବ ।    

ପ୍ରକାଶଥାଉକି, ଏଥର NEET UG ପରୀକ୍ଷାରେ ୨୩ ପରୀକ୍ଷାର୍ଥୀ  ୭୨୦ରୁ ୭୨୦ ମାର୍କ ରଖି ଟପ୍ପର ହୋଇଥିଲେ। କିନ୍ତୁ ପଦାର୍ଥ ବିଜ୍ଞାନରେ ଗୋଟିଏ ପ୍ରଶ୍ନର ଭୁଲ ଉତ୍ତରରେ ଦିଆଯାଇଥିବା ଗ୍ରେସ୍ ମାର୍କ ଯୋଗୁଁ ଏଥିରେ ଆଉ ୪୪ ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ଯୋଡ଼ି ହୋଇଯାଇଛନ୍ତି। ଏପରିକି ଏହି ୪୪ ପ୍ରାର୍ଥୀଙ୍କ ମାର୍କ ମଧ୍ୟ ୭୨୦ ହୋଇଗଲା। ଯେଉଁଥିପାଇଁ NEET UG ୨୦୨୪ରେ ସମୁଦାୟ ଟପ୍ପର ସଂଖ୍ୟା ୬୭କୁ ବୃଦ୍ଧି ପାଇଥିଲା। ସର୍ବଶେଷରେ, ୭୨୦ ମଧ୍ୟରୁ ୭୨୦ ସ୍କୋର କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା କିପରି ୬୭ରେ ପହଞ୍ଚିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.