ବିବିସି ଡକ୍ୟୁମେଣ୍ଟ୍ରି ଉପରେ ତତ୍କାଳ ବ୍ୟାନ୍ ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ, ସରକାରଙ୍କୁ ମାଗିଲେ ଦସ୍ତାବେଜ୍‌

Published By : Prameya-News7 Bureau | February 03, 2023 IST

ନୂଆଦିଲ୍ଳୀ, ୦୩/୦୨: ଗୁଜରାଟ ଦଙ୍ଗା ୨୦୦୨ କୁ ନେଇ ବିବିସିର ଡକ୍ୟୁମେଣ୍ଟ୍ରି ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଏହି ପ୍ରସଙ୍ଗରେ ଦାୟର ଯାଚିକାର ଶୁଣାଣି କରି ଡକ୍ୟୁମେଣ୍ଟ୍ରି ଉପରେ ତତ୍କାଳ ବ୍ୟାନ୍ ହଟାଇବାକୁ ମନା କରିଛନ୍ତି। ଏହା ସହ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ୍‌ ଜାରି କରିଛନ୍ତି ଏବଂ ଏହି ମାମଲାରେ ପ୍ରକୃତ ଦସ୍ତାବେଜ୍‌ ଜମା କରିବାକୁ କହିଛନ୍ତି। ଏଥିପାଇଁ ସରକାରଙ୍କୁ ତିନି ସପ୍ତାହ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ମାମଲାରେ ଶୁଣାଣି ଆସନ୍ତା ଏପ୍ରିଲରେ ହେବ। ଏହାସହ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ସାମ୍ବାଦିକ ଏନ ରାମ, ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦ୍ବାରା ସଂଯୁକ୍ତ ଭାବରେ ଯାଚିକା ଉପରେ କୌଣସି ଅନ୍ତରୀଣ ଆଦେଶ ଜାରି କରିବାକୁ ମନା କରିଛନ୍ତି।

ସୂଚନାଯୋଗ୍ୟ, ବିବିସି ଡକ୍ୟୁମେଣ୍ଟ୍ରି ଉପରେ ବ୍ୟାନ୍ ଲଗାଇବା ନିଷ୍ପତ୍ତି ଉପରେ ଏକ ଯାଚିକା ଦାୟର ହୋଇଥିଲା। ଏହି ଯାଚିକା ସାମ୍ବାଦିକ ଏନ ରାମ, ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ଓକିଲ ପ୍ରଶାନ୍ତ ଭୂଷଣ ରୁଜୁ କରିଥିଲେ। ସେହିଭଳି ଅନ୍ୟ ଯାଚିକା ଓକିଲ ଏମ ଏଲ ଶର୍ମା ଦାୟର କରିଥିଲେ।

ଏହା ପୂର୍ବରୁ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼, ବିଚାରପତି ପି ଏସ ନରସିମ୍ହା ଏବଂ ବିଚାରପତି ଜେ ବି ପରଦିବାଲାଙ୍କ ପୀଠ ଓକିଲ ଏମ ଏଲ ଶର୍ମା ଏବଂ ବରିଷ୍ଠ ଓକିଲ ସି ୟୁ ସିଂହଙ୍କ ଦଲିଲ ଉପରେ ଗୁରୁତ୍ବ ଦେଇଥିଲେ। ଉଭୟ ଓକିଲ ଏହି ଘଟଣା ଉପରେ ଭିନ୍ନ ଭିନ୍ନ ଜନହିତ ଯାଚିକା ଉପରେ ତତ୍କାଳ ଶୁଣାଣିର ଅନୁରୋଧ କରିଥିଲେ। ସେତେବେଳେ ପୀଠ କହିଥିଲେ ଯେ ‘ଏହା ଉପରେ ୬ ଫେବୃଆରୀରେ ଶୁଣାଣି କରାଯିବାକୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.