ପଶ୍ଚିମବଙ୍ଗ ନଗରପାଳିକା ନିର୍ବାଚନରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ଲାଗି ରାଜି ହେଲେନି ସୁପ୍ରିମକୋର୍ଟ, ଜାଣନ୍ତୁ କ’ଣ କହିଲେ ପୀଠ

Published By : Prameya-News7 Bureau | February 25, 2022 IST

ନୂଆଦିଲ୍ଲୀ ୨୫।୨: ସୁପ୍ରିମକୋର୍ଟ ଶୁକ୍ରବାର ଭାରତୀୟ ଜନତାପାର୍ଟି (ବିଜେପି) ନେତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିରେ ବିଜେପି ନେତାମାନେ ପଶ୍ଚିମବଙ୍ଗରେ ହେବାକୁ ଥିବା ୧୦୮ ପୌରପାଳିକା ନିର୍ବାଚନରେ ଅର୍ଦ୍ଧସାମରିକ ବଳ ମୁତୟନ ଲାଗି ନିବେଦନ କରିଥିଲେ। ଫେବୃଆରୀ ୨୭ ତାରିଖରେ ଏହି ସବୁ ପୌର ପାଳିକାରେ ନିର୍ବାଚନ ହେବାକୁ ଅଛି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବେଞ୍ଚ ବିଜେପି ନେତା ମୌସୁମୀ ରାୟ ଓ ପ୍ରତାପ ବାନାର୍ଜୀଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି ଲାଗି ରାଜି ହୋଇନାହାନ୍ତି। 

କୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ପି.ଏସ୍.ପଟାଭାଲିଆ ଗତ ଭୋଟଗ୍ରହଣରେ ବ୍ୟାପକ ହିଂସା ଓ ଅନିୟମିତତାର ଅଭିଯୋଗ ହୋଇଥିବା କହିଥିଲେ। ଏଥିରେ ଯଦି କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳଙ୍କୁ ମୁତୟନ ଲାଗି ଅନୁମତି ମିଳେ ତେବେ ନିର୍ବାଚନ ନିରପେକ୍ଷ ଓ ଅବାଧ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିଲାଗି ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟଗଙ୍କୁ ପାରିସ୍ଥିତିକ ସ୍ଥିତିର ଅନୁଧ୍ୟାନ କରି କେନ୍ଦ୍ରୀୟ ବଳଙ୍କ ମୁତୟନ ଲାଗି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ତେବେ ଏହା ସମ୍ଭବ ନୁହେଁ କହି ପୀଠ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ପଶ୍ଚିମବଙ୍ଗ ନିର୍ବାଚନ ଆୟୋଗ ରାଜ୍ୟର ୧୦୮ ନଗରପାଳିକା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ଏଥିରେ ୨୭ ଫେବୃଆରୀରେ ଭୋଟଗ୍ରହଣ ଲାଗି ଦିନ ଧାର୍ଯ୍ୟ ହୋଇଥିବା ବେଳେ ମାର୍ଚ୍ଚ ୮ ତାରିଖ ସୁଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ୧୧୨ ନଗରାପାଳିକା ସମେତ କୋଲକାତା ମହାନଗର ନିଗମର ନିର୍ବାଚନ ଏପ୍ରିଲ-ମେ ୨୦୨୦ରେ ହେବାର ଥିଲା। ତେବେ ରାଜ୍ୟରେ କରୋନା ଭାଇରସ ମହାମାରୀର ପ୍ରକୋପ ଯୋଗୁ ନିର୍ବାଚନ ଟାଳି ଦିଆଯାଇଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.