କେନ୍ଦ୍ର ସରକାରଙ୍କୁ ଝଟକା: ୧୦ଦିନ ଭିତରେ ବନ୍ଦ ଲଫାପାରେ ରାଫେଲ୍ ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ
31/10/2018 at 12:32 PM

ନୂଆଦିଲ୍ଲୀ ୩୧/୧୦: ରାଫେଲ୍ ଯୁଦ୍ଧ ବିମାନ ଖରିଦ ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଏକ ମାମଲାରେ ଆଜି କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତା ୧୦ଦିନ ମଧ୍ୟରେ ରାଫେଲ୍ ଯୁଦ୍ଧ ବିମାନ କେତେ ଟଙ୍କାରେ କିଣିବା ପାଇଁ ଚୁକ୍ତି ହୋଇଛି ସେ ନେଇ ତଥ୍ୟ ବନ୍ଦ ଲଫାପା ମଧ୍ୟରେ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହଁ , ରାଫେଲ୍ ଯୁଦ୍ଧ ବିମାନ ତିଆରି କରୁତଥିବା ଫ୍ରାନସର ଡାସଲ୍ଟ କମ୍ପାନୀର ଅଫସେଟ୍ ପାର୍ଟନର୍ ବା ଭାରତରେ ତାର କିଏ ପାର୍ଟନର୍ ସେ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ଦାଖଲ କରିବା ପାଇଁ କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ, ରାଫେଲ୍ ଡିଲରେ କେଳେଙ୍କାରୀ ହୋଇଛି ବୋଲି ସୁପ୍ରିମ କୋର୍ଟରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ମାମଲା ଦାୟର କରିଥିଲେ। ଏହି ଡିଲ୍ ସମ୍ପର୍କରେ ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ମଧ୍ୟ ପ୍ରଶାନ୍ତ ଭୁଷଣ ଅଦାଲତଙ୍କୁ ଅନୁରୋଧ କରିଥିଲେ। ତେବେ ମାମଲାର ଶୁଣାଣି କରୁଥିବା ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ବିଳମ୍ବ ହେବ। ପ୍ରଥମେ ସିବିଆଇ ତାର ନିଜର ଘର ଠିକ୍ କରୁ। ତା’ପରେ ଏ ସମ୍ପର୍କରେ ବିଚାର କରାଯିବ। ରାଫେଲ୍ ସମ୍ପର୍କିତ ତଥ୍ୟ ସୁରକ୍ଷା ଦୃଷ୍ଟିରୁ ସାର୍ବଜନୀନ କରିବା ଠିକ୍ ହେବ ନାହିଁ ବୋଲି ଆଟର୍ଣ୍ଣି ଜେନେରାଲ୍ ଅଦାଲତରେ ସରକାରଙ୍କ ପକ୍ଷରୁ ଯୁକ୍ତି କରିଥିଲେ। ଏହି ପ୍ରସଙ୍ଗ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ପରିସରଭୁକ୍ତ ବୋଲି ସେ ଅଦାଲତଙ୍କୁ କହିଥିଲେ। ତେବେ ଦେଶର ସୁରକ୍ଷାକୁ ବିପନ୍ନ ନକରି ଏହି ଡିଲ୍ ସମ୍ପର୍କରେ ଯାହା ସାର୍ବଜନୀନ କରିହେବ ସେହି ତଥ୍ୟ ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରାଫେଲ୍ ଡିଲ୍ ସମ୍ପର୍କରେ କିଛି ଦିନ ତଳେ ଆଇନଜୀବୀ ପ୍ରଶାନ୍ତ ଭୁଷଣ ସିବିଆଇରେ ଏଫଆଇଆର କରିଥିଲେ। ରିଲାଏନ୍ସକୁ ରାଫେଲ୍ କମ୍ପାନୀର ଅଫସେଟ୍ ପାର୍ଟନର୍ ଭାବେ ନିଆଯିବା ଘଟଣାରେ ବ୍ୟାପକ କେଳେଙ୍କାରୀ ଓ ଅନିୟମିତତା ହୋଇଥିବା ପ୍ରଶାନ୍ତ ଭୁଷଣ ତାଙ୍କ ଅଭିଯୋଗରେ ଦର୍ଶାଇ ଥିଲେ। ରାଫେଲ୍ କିଣା କାରବାରରେ ବ୍ୟାପକ ଦୁର୍ନୀତି ହୋଇଥିବା କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବରାବର ଅଭିଯୋଗ କରି ଆସୁଛନ୍ତି। ସେହିଭଳି ଏହି ମାମଲାରେ ଦୁର୍ନୀତି ହୋଇଛି ବୋଲି ସୁପ୍ରିମ କୋର୍ଟରେ ପ୍ରଶାନ୍ତ ଭୁଷଣଙ୍କ ବ୍ୟତୀତ ଆହୁରି ୨ଜଣ ମାମଲା ଦାୟର କରିଛନ୍ତି। ଆଜିର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଶାସକ ବିଜେପି ଦଳକୁ ଅଡ଼ୁଆରେ ପକାଇ ପାରେ।