ଧାରା ୩୭୦ ଉଚ୍ଛେଦ ବିରୋଧରେ କୋର୍ଟ ଯିବାରୁ ସସ୍‌ପେଣ୍ଡ କରିଥିଲେ ସରକାର, ନିଲମ୍ବର କାରଣ ପଚାରିଲେ SC

Published By : Prameya-News7 Bureau | August 28, 2023 IST

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି କୋର୍ଟରେ ହାଜର ହେବାରୁ ନିଲମ୍ବିତ ହୋଇଥିଲେ ବିଦ୍ୟାଳୟ ଶିକ୍ଷା ବିଭାଗ ବରିଷ୍ଠ ଅଧ୍ୟାପକ ଜହୁର ଅହମଦ ଭଟ। ଅଗଷ୍ଟ ୨୫ରେ ଜାମ୍ମୁ-କାଶ୍ମୀର ପ୍ରଶାସନ ଶ୍ରୀ ଭଟଙ୍କୁ ନିଲମ୍ବିତ କରିଥିଲା।

ଏବେ କୋର୍ଟରେ ଉକ୍ତ ପ୍ରସଙ୍ଗ ଉଠାଇଛନ୍ତି ବରିଷ୍ଠ ଓକିଲ କପିଲ ଶିବଲ। ଓକଲିଙ୍କ ତର୍କ ଶୁଣିବା ପରେ ଭଟଙ୍କୁ କାହିଁକି ନିଲମ୍ବିତ କରାଗଲା ବୋଲି ଆଜି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ସୋମବାର ୫ ଜଣିଆ ଖଣ୍ଡପୀଠ ମାମଲାରେ ଶୁଣାଣି କରୁଥିବା ବେଳେ ବରିଷ୍ଠ ଓକିଲ କପିଲ ଶିବଲ ବିଚାରପତିଙ୍କ ସମ୍ମୁଖରେ ଏହି ପ୍ରସଙ୍ଗଟି ରଖିଥିଲେ। ଅଧ୍ୟାପକ କୋର୍ଟରେ ହାଜର ହେବାର ତୁରନ୍ତ ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ନ୍ୟାୟୋଚିତ ନୁହେଁ। ଆମ ଗଣତନ୍ତ୍ର ଏଭଳି କାର୍ଯ୍ୟ କରିବା କଥା ନୁହେଁ ବୋଲି କପିଲ ଶିବଲ କୋର୍ଟଙ୍କୁ ଜଣାଇଥିଲେ।

ସବୁଠାରୁ ରୁଚିକର କଥା ହେଲା ଶ୍ରୀ ଭଟ ଧାରା ୩୭୦ ଉଚ୍ଛେଦ ମାମଲାରେ ବ୍ୟକ୍ତିଗତ ଭାବେ ଜଣେ ଆବେଦକ ହିସାବରେ ଅଗଷ୍ଟ ୨୩ ତାରିଖରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ହେଲେ ଏହାର ଦୁଇଦିନ ପରେ ଅଗଷ୍ଟ ୨୫ ତାରିଖରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ମମଲାକୁ ନେଇ ଶିବଲ ପ୍ରଶ୍ନ କରିବାରୁ ସରକାରୀ ଓକିଲ ତୁଷାର ମେହେତା କହିଛନ୍ତି ଯେ ସେ ଏହି ଘଟଣା ବିଷୟରେ ଖବରକାଗଜରୁ ଜାଣିବାକୁ ପାଇଛନ୍ତି। ତେବେ ଏଥିପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କୋର୍ଟଙ୍କୁ କହିଛନ୍ତି।  

ପଢ଼ନ୍ତୁ-ଜ୍ଞାନବ୍ୟାପୀ ମାମଲାରେ ନୂଆ ଟ୍ୱିଷ୍ଟ: ଶେଷ ମୁହୂର୍ତ୍ତରେ ନୂଆ ଖଣ୍ଡପୀଠଙ୍କୁ ହସ୍ତାନ୍ତର ହେଲା ମାମଲା, ମୁସ୍‌ଲିମ ପକ୍ଷର ବିରୋଧ

ଏହାପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ସହ ଏ ବିଷୟରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ପ୍ରଫେସରଙ୍କ ନିଲମ୍ବନ ପଛରେ ପ୍ରକୃତ କାରଣ କ’ଣ ରହିଛି ସେ ବିଷୟରେ ପଚାରି ବୁଝିବାକୁ  କହିଥିଲେ ପ୍ରଧାନ ବିଚାରପତି।

ଚନ୍ଦ୍ରଚୂଡ଼ କହିଛନ୍ତି “ଉପରାଜ୍ୟପାଳଙ୍କ ସହ କଥା ହେଇ କଣ ହୋଇପାରିବ ଦେଖନ୍ତୁ। ଯଦି କିଛି ଅଲଗା କଥା ଥାଇପାରେ ତେବେ ଏହା ଅଲଗା ପ୍ରସଙ୍ଗ।” କିନ୍ତୁ ହଠାତ୍ ଏମିତି ତାଙ୍କର କୋର୍ଟରେ ହାଜର ହେବା ପରେ ନିଲମ୍ବିତ ସନ୍ଦେମୂଳକ ବୋଲି ବିଚାରପତି କହିବାକୁ ଚାହଁଛନ୍ତି।

ଏହାର ଉତ୍ତରରେ ମେହେତା କହିଛନ୍ତି ଯେ ସମସ୍ତଙ୍କର କୋର୍ଟରେ ହାଜର ହେବାର ଅଧିକାର ଅଛି। ଏଥିପାଇଁ ପ୍ରଫେସରଙ୍କୁ ପ୍ରତିଶୋଧ ରୂପେ ନିଲମ୍ବିତ କରାଯାଇପାରିବ ନାହିଁ। ତେବେ ତାଙ୍କର କୋର୍ଟରେ ହାଜର ହେବା ବ୍ୟତତୀ ଅନ୍ୟ କୌଣସି ପ୍ରସଙ୍ଗ ଥାଇପାରେ ବୋଲି ତୁଷାର ମେହେତା କହିଛନ୍ତି। ଏ ନେଇ ଖଣ୍ଡପୀଠର ଅନ୍ୟ ବିଚାରପତି ଏସ୍‌କେ କୌଲ କହିଛନ୍ତି ଯେ ମାମଲା କଣ ଏହାର ତଦନ୍ତ କରାଯାଉ। କାରଣ କୋର୍ଟରେ ହାଜରେ ହେବା ଓ ନିଲମ୍ବିତ ହେବାର ଅଳ୍ପ ସମୟ ବ୍ୟବଧାନର ଘଟିଛି। ଯଦି ମାମଲା ସମ୍ପର୍କିତ ଘଟଣାକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିବା ତେବେ ସମସ୍ୟା ହେବ ବୋଲି ଏସ୍‌କେ କୌଲ କହିଛନ୍ତି।  

ପଢ଼ନ୍ତୁ-ବ୍ରଜମଣ୍ଡଳ ଯାତ୍ରା ପାଇଁ ହରିୟାଣାରେ ହାଇ-ଆଲର୍ଟ, ଅର୍ଦ୍ଧ ସାମରିକବଳ ମୁତୟନ, ୧୪୪ ଧାରା ଜାରି  

୫ ଅଗଷ୍ଟ ୨୦୧୯ରେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ଅଗଷ୍ଟ ୨୪ ତାରିଖରେ, ଭଟ ସର୍ବୋଚ୍ଚ ନ୍ୟାୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ କେନ୍ଦ୍ରର ଏଭଳି ନିଷ୍ପତ୍ତି ବିରୁଦ୍ଧରେ ତର୍କ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.