ଆହ୍ଲାବାଦ ହାଇକୋର୍ଟ ପରିସରରୁ ମସଜିଦ୍ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଦେଲେ ତିନି ମାସ ସମୟ
13/03/2023 at 6:00 PM

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ହଟାଇବା ପାଇଁ ସୁପ୍ରିମକୋର୍ଟ ତିନି ମାସର ସମୟ ଦେଇଛନ୍ତି । ଶୀର୍ଷ ଅଦାଲତ, ଆହ୍ଲାବାଦ ହାଇକୋର୍ଟଙ୍କ ପୂର୍ବ ରାୟକୁ ବଜାୟ ରଖିଛନ୍ତି ଯେଉଁଥିରେ କୋର୍ଟ ନିଜ ପରିସରରୁ ମସଜିଦକୁ ହଟାଇବା ପାଇଁ କହିଥିଲେ । ୱାକଫ୍ ମସଜିଦ ହାଇକୋର୍ଟ ଏବଂ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ପକ୍ଷରୁ ଦାଖଲ ଆବେଦନକୁ ଖାରଜ କରି ମସଜିଦ ହଟାଇବା ପାଇଁ ତିନି ମାସ ସମୟ ଦିଆଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ୍ ଏମଆର ଶାହ ଏବଂ ଜଷ୍ଟିସ୍ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି ତିନି ମାସ ମଧ୍ୟରେ ମସଜିଦକୁ ହଟା ନଗଲେ, ଏହାକୁ ଭାଙ୍ଗିବା ପାଇଁ ଅଧିକାରୀଙ୍କୁ କ୍ଷମତା ଦିଆଯିବ ।
ଏହାସହ ଖଣ୍ଡପୀଠ ଆବେଦନକାରୀଙ୍କୁ ଉତ୍ତର ପ୍ରଦେଶ ସରକାରଙ୍କୁ ମସଜିଦ ଲାଗି ବିକଳ୍ପ ଜମି ପ୍ରଦାନ ଦାବି କରିବା ପାଇଁ ଅନୁମତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ରାଜ୍ୟ ସରକାର ନିୟମ ଅନୁସାରେ ଆପଣଙ୍କ ଦାବି ଉପରେ ବିଚାର କରିପାରିବେ । ଖଣ୍ଡପୀଠ କହିଛନ୍ତି ଯେ ହାଇକୋର୍ଟ ପରିସରରେ ସ୍ଥିତ ମସଜିଦ ସରକାରଙ୍କ ଲିଜ୍ ଜିମି ଉପରେ ରହିଛି । ୨୦୦୨ରୁ ଏହାର ଲିଜ୍ ଶେଷ ହୋଇସାରିଛି । ଏହାପରେ ୨୦୦୪ ମସିହାରେ ଏହି ଜମିକୁ ହାଇକୋର୍ଟକୁ ଏହାର ପରିସର ବିସ୍ତାର କରାଇବା ପାଇଁ ଦିଆଯାଇଥିଲା ।
ସୁପ୍ରିମକୋର୍ଟ କହିଛନ୍ତି ଯେ ୨୦୧୨ ମସିହାରେ ହାଇକୋର୍ଟ ନିଜ ଜମି ଫେରାଇବାକୁ ଦାବି କରିଥିଲା । ଏହା ଉପରେ ମସଜିଦର କୌଣସି ଆଇନଗତ ଅଧିକାର ନାହିଁ । ଏପରି ସ୍ଥିତିରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ କୌଣସି ହସ୍ତକ୍ଷେପ କରାଯାଇ ପାରିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଆଇନଜୀବୀ ଅଭିଷକ ଶୁକ୍ଲାଙ୍କ ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ମସଜିଦ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।