ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର କାଉଡିଆ ଯାତ୍ରା ମାର୍ଗରେ ସବୁ ଦୋକାନରେ ମାଲିକଙ୍କ ନାମ ଫଳକ ଲଗାଇବାକୁ ଆଦେଶ ଜାରି କରିଥିଲେ। ଏହା ଉପରେ ସୁପ୍ରିମକୋର୍ଟ ସୋମବାର ରୋକ ଲଗାଇ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବିଭିନ୍ନ ଦଳର ନେତାମାନେ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଛନ୍ତି ତାର ପାଳନ ହେବ ହିଁ ହେବ। ତେବେ ପୁରା ବିଷୟ ଅଧ୍ୟୟନ କରି ସରକାରଙ୍କ ପକ୍ଷରୁ କୋର୍ଟରେ ଜବାବ ଦାଖଲ କରାଯିବ। ଆଗକୁ ଯାହା ବି ଆଦେଶ ମିଳିବ ସରକାର ସେହି ଅନୁସାରେ କାମ କରିବେ।
ୟୁପି ସରକାର ସର୍ବ ପ୍ରଥମେ ଆଦେଶ ଜାରି କରି ଦୋକାନ ମାନଙ୍କରେ ମାଲିକଙ୍କ ନାମ ଲେଖିବାକୁ କହିଥିଲେ, ଯାହା ଦ୍ୱାରା ଶ୍ରଦ୍ଧାଳୁ ତାଙ୍କ ପସନ୍ଦର ଦୋକାନରୁ ସାମଗ୍ରୀ କ୍ରୟ କରିପାରିବେ। ଏହା ପରେ ଉତ୍ତରାଖଣ୍ଡ ସରକାର ସମାନ ଆଦେଶ ଜାରି କରିଥିଲେ। ଏହି ସବୁ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଋଷିକେଶ ରାୟ ଓ ଜଷ୍ଟିସ୍ ଏସ.ଭି.ଏନ. ଭଟ୍ଟିଙ୍କ ପୀଠ ଏହା ଉପରେ ରୋକ ଲଗାଇ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଯୋଗୀ ଓ ଧାମୀ ସରକାର କାଉଡିଆ ଯାତ୍ରା ମାର୍ଗରେ ଆସୁଥିବା ସବୁ ଭୋଜନାଳୟ ଓ ଢାବାରେ ସେମାନଙ୍କ ମାଲିକ ଓ କର୍ମଚାରୀଙ୍କ ନାମ ଲେଖିବାକୁ ଆଦେଶ ଦେଇଥିଲେ। ତେବେ ଏ ବାବଦେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଏମଆଇଏମ ଜାତୀୟ ମୁଖପାତ୍ର ବାରିଶ ପଠାନ ସ୍ୱାଗତ କରିଛନ୍ତି। କହିଛନ୍ତି ଏ ନେଇ ସରକାରମାନେ ଜାରି କରିଥିବା ଆଦେଶ ଅବୈଧ ଓ ଅସାମ୍ବିଧାନିକ। ଏପରି ନିର୍ଦ୍ଦେଶ ବିଜେପିର ମୁସଲମାନ ଓ ଦଳିତଙ୍କ ପ୍ରତି ଘୃଣାକୁ ଦର୍ଶାଉଛି। ଏଣୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି କହିଛନ୍ତି।