ନୋଟବନ୍ଦୀକୁ ନେଇ ‘ସୁପ୍ରିମ୍’ ରାୟ; କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍, ଖଣ୍ଡପୀଠ କହିଲେ ଠିକ୍ ଥିଲା ନିଷ୍ପତ୍ତି

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ସୁପ୍ରିୟ ରାୟ । କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ । ନୋଟବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା ବୋଲି ରାୟ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟଙ୍କ  ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠ । ୪:୧ ବହୁମତରେ ବିମୁଦ୍ରୀକରଣ ମାମଲାର ରାୟ ପ୍ରକାଶ କରିଛନ୍ତି କୋର୍ଟ। ଡିସେମ୍ବର ୭ତାରିଖରେ ୫୮ଟି ଜନସ୍ବାର୍ଥ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ ।

ନୋଟବନ୍ଦୀ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ୫୮ ଯାଚିକାକୁ ରଦ୍ଦ କରିଛନ୍ତି ଖଣ୍ଡପୀଠ । କେନ୍ଦ୍ର ସରକାରଙ୍କ ଆହ୍ବାନପୂର୍ଣ୍ଣ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବୈଧ କହିଛନ୍ତି । ଏହା ସହିତ ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । କେନ୍ଦ୍ରର ଏହି ପଦକ୍ଷେପ ଯୋଗୁ କଳାଧନ, ଟ୍ୟାକ୍ସ ଚୋରି ଓ ଟେରର ଫଣ୍ଡିଂରେ ରୋକ୍ ଲାଗିଛି । ସେହିପରି ଗୋଟିଏ ରାତିରେ ୧୦ଲକ୍ଷ କୋଟି ଟଙ୍କାର ସାର୍କ୍ୟୁଲେସନ ରିଜର୍ଭ ବ୍ୟାଙ୍କ ଫେରାଇ ଆଣିବାରେ ସଫଳ ହୋଇଛି ନ୍ୟାୟମୂର୍ତ୍ତି କହିଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଆଶ୍ବସ୍ତି ମିଳିଛି ।

୪:୧ ବହୁମତରେ ବିମୁଦ୍ରୀକରଣକୁ ବୈଧ କହିଛନ୍ତି ଖଣ୍ଡପୀଠ । ମାତ୍ର ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଅସମତି ପ୍ରକାଶ କରିଛନ୍ତି ୫ଜଣିଆ ବେଞ୍ଚରେ ସାମିଲ ଥିବା ନ୍ୟାୟମୂର୍ତ୍ତି ଜଷ୍ଟିସ୍ ବି.ବି. ନାଗରତ୍ନ । କେନ୍ଦ୍ର ସରକାର ସମସ୍ତ ସିରିଜ୍ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ କରିବା ଅସାମ୍ବିଧାନିକ ଏବଂ ଏହା ଏକ ଗମ୍ଭୀର ମାମଲା । ସରକାର ବିମୁଦ୍ରୀକରଣକୁ ଅଧିନିୟମ ଆଧାରରେ କରିବା ବଦଳରେ ବିଧେୟକ ଜରିଆରେ କରିବାର ଆବଶ୍ୟକତା ଥିଲା । ଏହି ଗୁରୁତ୍ବପୂର୍ଣ୍ଣ ନଷ୍ପତ୍ତି ନେବା ପୂର୍ବରୁ ଏହାକୁ ସଂସଦରେ ପାରିତ କରିବା ଦରକାର ଥିଲା ବୋଲି ଜଷ୍ଟିସ୍ ନାଗରତ୍ନ କହିଛନ୍ତି । ଆରବିଆଇ ପକ୍ଷରୁ ଦିଆଯାଇଥିବା କାଗଜପତ୍ରରୁ ସ୍ପଷ୍ଟ ରୂପେ ବାରିହେଉଛି କି ରିଜର୍ଭ ବ୍ୟାଙ୍କ ଦ୍ବାରା ସ୍ବତନ୍ତ୍ର ଭାବେ କୌଣସି ନିଷ୍ପତ୍ତି ନିଆନଯାଇ ସବୁ କିଛି କେନ୍ଦ୍ର ସରକାରଙ୍କ ଇଚ୍ଛାରେ ହୋଇଛି । ବିମୁଦ୍ରୀକରଣ ନିଷ୍ପତ୍ତି ୨୪ ଘଣ୍ଟାରେ ନିଆଯାଇଛି ବୋଲି ଜଷ୍ଟିସ୍ ନାଗରତ୍ନ ନିଜ ରାୟରେ କହିଛନ୍ତି ।

{"id":728204,"width":832,"height":511,"sizeSlug":"full","linkDestination":"none"}

ବିଜେପି କେନ୍ଦ୍ରରେ ସରକାର ଗଢ଼ିବା ପରେ ୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ ଘୋଷଣା କରିଥିଲେ । ନୋଟବନ୍ଦୀରେ ୧୦୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ଅଚଳ ହୋଇଯାଇଥିଲା । ନିଜ କଷ୍ଟ ଅର୍ଜିତ ଧନକୁ ବଦଳାଇବାକୁ ବ୍ୟାଙ୍କ ଓ ଏଟିଏମ ସାମ୍ନାରେ ଲମ୍ବା ଲାଇନ୍ ଲଗାଇଥିଲେ ଲୋକେ । ନୋଟବନ୍ଦୀ ଯୋଗୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସର୍ବୋଚ୍ଚ ଅଦାଲତରେ ମୋଟ୍ ୫୮ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା  । ଡିସେମ୍ବର ୭ତାରିଖରେ ଜଷ୍ଟିସ୍ ଅବଦୁଲ ନାଜିରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ତଥା ଜଷ୍ଟିସ୍ ବି.ଆର୍ ଗଓ୍ବଇ, ଜଷ୍ଟିସ୍ ଏ.ଏସ୍ ବୋପନ୍ନା, ଜଷ୍ଟିସ୍ ବି. ସୁଭ୍ରମଣ୍ୟମ୍ ଏବଂ ଜଷ୍ଟିସ୍ ବି.ବି. ନାଗରତ୍ନ ଉଭୟ ପକ୍ଷଙ୍କ ଯୁକ୍ତିକୁ ଶୁଣି ରାୟ ସଂରକ୍ଷିତ ରଖିଥିଲେ । ଯାହାର ଶୁଣାଣି ୨୦୨୩ ଜାନୁଆରୀ ୨ ତାରିଖ ଅର୍ଥାତ୍ ସୋମବାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.