EWS ସଂରକ୍ଷଣ ସପକ୍ଷରେ ରାୟ, ପଛୁଆବର୍ଗ ପାଇଁ ଜାରି ରହିବ ୧୦% ସଂରକ୍ଷଣ

Published By : Prameya-News7 Bureau | November 07, 2022 IST

ନୂଆଦିଲ୍ଲୀ ୦୭।୧୧ : ଅପରିବର୍ତ୍ତିତ ରହିବ EWS ସଂରକ୍ଷଣ। ଆର୍ଥିକ ପଛୁଆବର୍ଗ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି। ସଂରକ୍ଷଣ ସପକ୍ଷରେ ମୋହର ମାରିଲେ ସର୍ବୋଚ୍ଚ ଅଦାଲତ । ଏହା ସମ୍ବିଧାନକୁ ଉଲ୍ଲଙ୍ଘନ କରୁନାହିଁ ବୋଲି ବିଚାରପତି କହିଛନ୍ତି ।

ଆର୍ଥିକ ପଛୁଆବର୍ଗଙ୍କ ପାଇଁ ଲାଗୁ ହୋଇଥିବା ସଂରକ୍ଷଣକୁ ବିରୋଧ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ଏହା ଅସାମ୍ବିଧାନିକ, ଏହାକୁ ହଟାଇବାକୁ କୋର୍ଟରେ ଆବେଦନ ହୋଇଥିଲା । ତେବେ ଏହି ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତର ୫ଜଣିଆ ବେଞ୍ଚ, EWS ସଂରକ୍ଷଣ ସମର୍ଥନରେ ରାୟ ପ୍ରକାଶ କରିଛନ୍ତି । ଆର୍ଥିକ ପଛୁଆବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଜାରି ରହିବ ବୋଲି ବିଚାରପତି କହିଛନ୍ତି ।

ସାଧାରଣ ବର୍ଗରେ ଆର୍ଥିକ ଅନଗ୍ରସରଙ୍କ ପାଇଁ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହା ସମ୍ବିଧାନର ୧୦୩ତମ ସଂଶୋଧନ ଆକ୍ଟ ଜରିଆରେ ଲାଗୁ ହୋଇଥିଲା । ୨୦୧୯ରେ ସମ୍ବିଧାନର ଅନୁଚ୍ଛେଦ ୧୫ ଓ ୧୬ ଉପବନ୍ଧ-୬ରେ ଏହାକୁ ଯୋଡ଼ା ଯାଇଥିଲା । ହେଲେ ଏହାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଲିତଙ୍କ ସମେତ ୪ଜଣ ଅନ୍ୟ ବିଚାରପତି ଏହି ମାମଲାର ରାୟ ଶୁଣାଇଛନ୍ତି । EWS ସଂରକ୍ଷଣକୁ ଜଷ୍ଟିସ୍ ଦିନେଶ ମାହେଶ୍ବରୀ, ଜଷ୍ଟିସ୍ ବେଲା ତ୍ରିବେଦୀ ଓ ଜଷ୍ଟିସ୍ ଜେବି ପାରଦୀଓ୍ବାଲା ସମର୍ଥନ କରିଥିବାବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଲିତ ଓ ଜଷ୍ଟିସ୍ ରବିନ୍ଦ୍ର ଭଟ୍ଟ ଏହାକୁ ଅସାମ୍ବିଧାନିକ କହିଥିଲେ। ତେବେ ୩-୨ ଅନୁପାତରେ ସୁପ୍ରିମକୋର୍ଟ, ସଂରକ୍ଷଣ ସପକ୍ଷରେ ମୋହର ମାରିଛନ୍ତି ।

୧୦୩ ତମ ସମ୍ବିଧାନ ସଂଶୋଧନ ଆକ୍ଟ ବୈଧ ଅଟେ। EWS ସଂରକ୍ଷଣ ସମ୍ବିଧାନର କୌଣସି ଧାରାକୁ ଉଲ୍ଲଙ୍ଘନ କରୁନାହିଁ । ତେଣୁ ଏହାକୁ ଅସାମ୍ବିଧାନିକ କହିବାର ଯଥାର୍ଥ ନାହିଁ ବୋଲି ଜଷ୍ଟିସ୍ ଦିନେଶ ମାହେଶ୍ବରୀଙ୍କ ସହ ଅନ୍ୟ ଦୁଇଜଣ ବିଚାରପତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.