ସୁପ୍ରିମକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା, ୯ ନାଁ ଉପରେ ମୋହର ଲଗାଇଲେ କେନ୍ଦ୍ର ସରକାର !

Published By : Prameya-News7 Bureau | August 26, 2021 IST

ନୂଆଦିଲ୍ଲୀ, ୨୬ ।୦୮ :  କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଥିରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପାଇଁ ୯ଟି ନାଁ ପଠାଯାଇଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ,  କେନ୍ଦ୍ର ସରକାର ଏହି ସବୁ ନାମ ଉପରେ ମୋହର ମାରି ରାଷ୍ଟ୍ରପତି ରାନମାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି । ଶୁକ୍ରବାର ସୁଦ୍ଧା ଏନେଇ ଔପଚାରିକ ଘୋଷଣା କରାଯାଇପାରେ ।

ସୁପ୍ରିମକୋର୍ଟରେ ୯ ବିଚାରପତିଙ୍କ ନିଯୁକ୍ତି ପରେ ଅନେକ ଆଶ୍ୱସ୍ତି ମିଳିବ । କାରଣ ଗତ ଦଶ ବର୍ଷରେ ସବୁଠାରୁ କମ୍ ବିଚାରପତି ଏବେ କାର୍ଯ୍ୟରତ ଅଛନ୍ତି । ସୁପ୍ରିମକୋର୍ଟରେ ୩୪ ବିଚାରପତି ରହିପାରିବେ । ଏବେ ୨୪ ଜଣ କାର୍ଯ୍ୟ ତୁଲାଉଛନ୍ତି । ୯ ବିଚାରପତି ଆସିବା ପରେ ଏବେବି ଗୋଟିଏ ଆସନ ଖାଲି ରହିବ ।

ଯେଉଁ ୯ଟି ନାମ କଲେଜିୟମ ଦ୍ୱାରା ପ୍ରସ୍ତାବିତ କରାଯାଇଛି ସେଥିରେ ୩ ମହିଳା ବିଚାରପତିଙ୍କ ନାଁ ରହିଛି । ଜଷ୍ଟିସ ବିବି ନାଗରତ୍ନା, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ବେଲା ତ୍ରିବେଦୀ ସୁପ୍ରିମକୋର୍ଟଙ୍କୁ ଆସିବା ପରେ ମହିଳା ବିଚାରପତିଙ୍କ ସଂଖ୍ୟା ୪ରେ ପହଁଚିଯିବ । ପୂର୍ବରୁ ଏଠାରେ ଇନ୍ଦିରା ବାନାର୍ଜୀ କାର୍ଯ୍ୟରତ ଅଛନ୍ତି ।

୨୦୨୭ରେ ଜଷ୍ଟିସ ନାଗରତ୍ନା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ସେହିପରି ପିଏସ ନରସିଂହା ବାରରୁ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ହେବେ । ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଏଏସ ଓକା, ଜଷ୍ଟିସ ହିମା କୋହଲି, ଜଷ୍ଟିସ ଜେକେ ମାହେଶ୍ୱରୀ ବିଚାରପତିରୁ  ସୁପ୍ରିମକୋର୍ଟର ବିଚାରପତି ହେବେ । ଜଷ୍ଟିସ ବିବି ନାଗରତ୍ନା, ଜଷ୍ଟିସ ଏମଏଣ ସୁନ୍ଦରେଶ, ଜଷ୍ଟିସ ସିଟି ରବିକୁମାର, ବେଲା ଏମ ତ୍ରିବେଦୀ ଓ ବରିଷ୍ଠ ଆଇନଜୀବୀ ତଥା ପୂର୍ବ ଏଏସଜି ପିଏସ ନରସିଂହା ନାଁରେ ମଧ୍ୟ କେନ୍ଦ୍ର ମୋହର ମାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.