ସଂସଦରେ ଉଠିଲା ବିଚାରପତି ନିଯୁକ୍ତ ବିବାଦ, ପୁଣି ସୁପ୍ରିମକୋର୍ଟଙ୍କୁ ଆଇନ ମନ୍ତ୍ରୀଙ୍କ ଟାର୍ଗେଟ

Published By : Prameya-News7 Bureau | December 15, 2022 IST

ନୂଆଦିଲ୍ଳୀ, ୧୫/୧୨: ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଆଉ ଏହି ପ୍ରସଙ୍ଗ ଏବେ ସଂସଦରେ ପହଞ୍ଚିଛି। ଗୁରୁବାର ସଂସଦରେ, ଦୀର୍ଘ ଦିନ ଧରି ପଡ଼ିରହିଥିବା ମାମଲାକୁ ନେଇ ପ୍ରଶ୍ନରର ଉତ୍ତରରେ ପୁଣି ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ବିଚାରପତି ନିଯୁକ୍ତିରେ ସରକାରଙ୍କ ଭୂମିକା ସୀମିତ। ପୁଣି ଥରେ ବିଚାରପତି ନିଯୁକ୍ତିରେ କଲେଜିୟମ ପ୍ରଣାଳୀର ଆଲୋଚନା କରିଥିଲେ। ସେ କହିଥିଲେ ଦେଶରେ ପାଞ୍ଚ କୋଟିରୁ ଅଧିକ ମାମଲା ବିଚାରଧୀନ ରହିଛି, ଯାହା ଚିନ୍ତାଜନକ। ଆଉ ଏହି ମାମଲା ବିଳମ୍ବ ହେବା ପଛରେ ବିଚାରପତି ନିଯୁକ୍ତି ଏକ ମୁଖ୍ୟ କାରଣ ବୋଲି କହିଛନ୍ତି।

ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ କିରଣ ରିଜିଜୁ କହିଥିଲେ ଦେଶର ବିଭିନ୍ନ ଅଦାଲତରେ ପଡ଼ିରହିଥିବା ପାଞ୍ଚ କୋଟିରୁ ଅଧିକ ମାମଲା କମାଇବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି କିନ୍ତୁ ବିଚାରପତି ନିଯୁକ୍ତିକୁ ନେଇ ସରକାରଙ୍କ ପାଖ​‌ରେ ସୀମିତ ଅଧିକାର ରହିଛି। ମାମଲା ପଡ଼ିରହିବା ଦ୍ବାରା ସାଧାରଣ ଲୋକଙ୍କ ଉପରେ ପଡ଼ୁଥିବା ପ୍ରଭାବ ଜଣାପଡ଼ୁଛି। ବିଚାରଧୀନ ରହିଥିବା ମାମଲାକୁ ନେଇ ଚିନ୍ତା ପ୍ରକାଶ କରିବା ସହ କହିଛନ୍ତି ଖାଲି ରହିଥିବା ବିଚାରପତି ପଦବୀକୁ ଭରିବା ପାଇଁ କେନ୍ଦ୍ର ପାଖରେ ବହୁତ ଅଧିକାର ନାହିଁ ଏବଂ ଏଥିପାଇଁ କଲେଜିୟମ ଦ୍ବାରା ଦିଆଯାଇଥିବା ନାମକୁ ହିଁ ବିଚାର କରିବାକୁ ପଡ଼ିଥାଏ ସରକାର ନୂଆ ନାମ ଖୋଜିପାରିବେ ନାହିଁ।

କେନ୍ଦ୍ରମନ୍ତ୍ରୀ କହିଥିଲେ ୨୦୧୫ ରେ ସଂସଦର ଉଭୟ ଗୃହରେ ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜିଏସି) ବିଲ୍‌କୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଥିଲା ଏବଂ ଏହାକୁ ୨/୩ ରାଜ୍ୟ ମଞ୍ଜୁରୀ ମଧ୍ୟ ଦେଇଥିଲେ। ସେ କହିଥିଲେ ସୁପ୍ରିମକୋର୍ଟ ଏହି ଆଇନକୁ ରଦ୍ଧ କରିଦେଇଥିଲେ। ସେହି ସମୟ​ରେ ଆଇନ ରଦ୍ଧ କରିଥିବା ପୀଠରେ ସାମିଲ୍ ବିଚାରପତିଙ୍କ ସହ ଅନ୍ୟ ଅବସରପ୍ରାପ୍ତ ବିଚାରପତି ତଥା ବିଶେଷଜ୍ଞମାନେ ମଧ୍ୟ ଆଇନ ରଦ୍ଧ କରିବା ନିଷ୍ପତ୍ତିକୁ ଠିକ୍ ନୁହେଁ ବୋଲି କହିଥିଲେ। ସେ ଆହୁରି କହିଥିଲେ ଦେଶର ସମ୍ବିଧାନ ଏବଂ ଲୋକଙ୍କ ଭାବନା ଦ୍ବାରା ପରିଚାଳିତ। ଆଇନମନ୍ତ୍ରୀ କହିଛନ୍ତି ଯେ ବିଚାରପତି ନିଯୁକ୍ତିରେ ସରକାର ହସ୍ତକ୍ଷେପ କରିନଥାନ୍ତି କିନ୍ତୁ କଲେଜିୟମକୁ ନିଯୁକ୍ତି ପାଇଁ ନାମ ପଠାଇବା ସମୟରେ ଦେଶର ବିବିଧତାର ମଧ୍ୟ ଧ୍ୟାନ ରଖିବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.