ଅଯୋଧ୍ୟା ମାମଲାରେ ଭିନ୍ନ ରାୟ ଦେଇ ସମୁଦାୟରରେ ହିରୋ ପାଲଟିଥାନ୍ତି...ବିଦାୟୀ ଭାଷଣରେ ସଭିଙ୍କ ହୃଦୟ ଜିତିଲେ ଜଷ୍ଟିସ୍ ନଜୀର

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ.ଅବଦୁଲା ନଜୀର ବୁଧବାର ସେବାରୁ ନିବୃତ୍ତ ହୋଇଛନ୍ତି । ସେ ନିଜର ବିଦାୟୀ ଭାଷଣରେ ଏପରି ଏକ କହି ଯାଇଛନ୍ତି ଯାହା ସମସ୍ତଙ୍କ ହୃଦୟ ଜିତି ନେଇଛି । ଜଷ୍ଟିସ୍ ନଜୀର କହିଛନ୍ତି ଅଯୋଧ୍ୟା ବିବାଦ ଉପରେ ୨୦୧୯ ନଭେମ୍ୱର ୯ରେ ଆସିଥିବା ରାୟରେ ଅନ୍ୟ ଜଜଙ୍କ ଠାରୁ ଯଦି ସେ ଭିନ୍ନ ମତ ରଖିଥାନ୍ତେ ତେବେ ସେ ନିଜ ସମୁଦାୟରେ ହିରୋ ହୋଇଥାନ୍ତେ, କିନ୍ତୁ ସେ ସମୁଦାୟର ନୁହେଁ, ଦେଶହିତ ଚିନ୍ତା କଲେ । ସେ ହସ ହସ ମୁହଁରେ କହିଥିଲେ,'ଦେଶ ପାଇଁ ଜୀବନ ହାଜିର୍'। ଜଷ୍ଟିସ୍ ନଜୀର ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବରୀ ମସଜିଦ ମାମଲାରେ ନିଷ୍ପତ୍ତି ଶୁଣାଇ ଥିବା ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ । ସର୍ବୋଚ୍ଚ ନ୍ୟାୟାଳୟର ଏହି ଖଣ୍ଡପୀଠର ସବୁ ଜଜ୍ ସର୍ବସମ୍ମତିରେ ରାମ ମନ୍ଦିର ସପକ୍ଷରେ ରାୟ ଶୁଣାଇ ଥିଲେ।

ବିଦାୟୀ ଭାଷଣରେ ଜଷ୍ଟିସ ନଜୀର କହିଛନ୍ତି, 'ଯଦି ସେ ଚାହିଁଥାନ୍ତେ ତେବେ ଚାରି ବିଚାରପତିଙ୍କ ନିଷ୍ପତ୍ତିଠାରୁ ନିଜର ରାୟ ଅଲଗା ଦେଇପାରିଥାନ୍ତେ । ତାଙ୍କର ଏପରି କରିବା ପରେ ମଧ୍ୟ ନିଷ୍ପତ୍ତି ରାମ ମନ୍ଦିର ସପକ୍ଷରେ ରହିଥାନ୍ତା, କିନ୍ତୁ ସେ ମୁସଲମାନ ସମୁଦାୟ ଆଗରେ ହିରୋ ହୋଇଥାନ୍ତେ' । ଜଷ୍ଟିସ୍ ନଜୀର କହିଛନ୍ତି, 'କିନ୍ତୁ ଦେଶ ପାଇଁ ସବୁକିଛି ତୁଚ୍ଛ'।

ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ବିଦାୟୀ କାର୍ଯ୍ୟକ୍ରମରେ ଜଷ୍ଟିସ୍ ନଜୀର କହିଛନ୍ତି,'ଭାରତୀୟ ନ୍ୟାୟପାଳିକା ଲିଙ୍ଗଗତ ଅସମାନତାରେ ପୀଡିତ । ନ୍ୟାୟପାଳିକାରେ ମହିଳାଙ୍କ ପ୍ରତିନିଧିତ୍ୱ ବହୁତ କମ । ଜାତିସଂଘର ପୂର୍ବତନ ମହାସଚିବ କହିଥିଲେ ଯେ ବିକାଶ ପାଇଁ ମହିଳାଙ୍କ ସଶକ୍ତିକରଣଠାରୁ ଆଉ ବଡ଼ କିଛି ନାହିଁ'। ଜଷ୍ଟିସ ନଜୀର ୨୦ ବର୍ଷ ଆଇନଜୀବୀ ରହିବା ପରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ହୋଇଥିଲେ। ଏହାପରେ ୨୦୧୭ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ କହିଥିଲେ ଯେ ଜଣେ ବିଚାରପତି ଭାବେ ଜଷ୍ଟିସ୍ ନଜୀରଙ୍କ ଆଚରଣ ଉତ୍କୃଷ୍ଟ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.