ଅଋଣ ଗୋୟଲଙ୍କୁ ନିର୍ବାଚନ କମିଶନ ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,କେନ୍ଦ୍ରକୁ କହିଲେ ଫାଇଲ ଉପସ୍ଥାପନ କର

Published By : Prameya-News7 Bureau | November 23, 2022 IST

ନୂଆଦିଲ୍ଲୀ ୨୩।୧୧: ସୁପ୍ରିମକୋର୍ଟ ନିର୍ବାଚନ କମିଶନ ଭାବେ ଅଋଣ ଗୋୟଲଙ୍କ ନିଯୁକ୍ତିରେ ହସ୍ତକ୍ଷେପ କରିଛନ୍ତି। କୋର୍ଟ ବୁଧବାର ଶୁଣାଣିରେ ନିର୍ବାଚନ କମିଶନ ନିଯୁକ୍ତି ସମ୍ବଦ୍ଧିତ ଫାଇଲ ଉପସ୍ଥାପନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଋଣ ଗୋୟଲଙ୍କୁ ନିର୍ବାଚନ କମିସନ ପଦରେ କିପରି ନିଯୁକ୍ତ କରାଗଲା ଏ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

କୋର୍ଟ କହିଛନ୍ତି ଯେ ଶୁଣାଣି ଆରମ୍ଭ ହେବାର ମାତ୍ର ୩ ଦିନରେ ନିଯୁକ୍ତି ହୋଇଗଲା? ଏଣୁ ନିର୍ବାଚନ କମିଶନଙ୍କ ନିଯୁକ୍ତିରେ କେଉଁ ପ୍ରକ୍ରିୟା ଅବଲମ୍ବନ କରାଯାଇଛି ତାହା ଆମେ ଜାଣିବାକୁ ଚାହୁଁଛୁ । ଯଦି ଏହା ନିୟମାନୁସାରେ ହୋଇଛି ତେବେ କୌଣସି ଆପତ୍ତି ନାହିଁ, ତେବେ ନିଯୁକ୍ତି ସମ୍ପର୍କିତ ଫାଇଲ ଆଣିବାକୁ କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଶୁଣାଣି ଚାଲିଥିବା ବେଳେ ନିଯୁକ୍ତି ନ ହୋଇଥିଲେ ଉଚିତ ହୋଇଥାନ୍ତା। ତେବେ ଆମେ କେବଳ ନିଯୁକ୍ତି ତନ୍ତ୍ର ସମ୍ପର୍କରେ ଜାଣିବାକୁ ଚାହୁଁଛୁ, ଏଥିରେ କୌଣସି ଏପଟ ସେପଟ (ହଙ୍କିପେଙ୍କି) ହୋଇନାହିଁତ ବୋଲି ପୀଠ  ପ୍ରଶ୍ନ କରିଛନ୍ତି।  ଉଲ୍ଲେଖଯୋଗ୍ୟ ଯେ ଆବେଦନକାରୀ ପ୍ରଶାନ୍ତ ଭୂଷଣ ସମ୍ବିଧାନ ପୀଠଙ୍କୁ କହିଥିଲେ ଯେ ଗୁରୁବାର ସେ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହା ପରେ ଜଣେ ସରକାରୀ ଅଫିସରଙ୍କୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ଦିଆଇ ନିର୍ବାଚନ କମିଶନ ନିଯୁକ୍ତ କରି ଦିଆଯାଇଛି। ଯଦିଓ ଅଧିକାରୀ ଜଣକ ପୂର୍ବରୁ ଏଥି ପାଇଁ ଆବେଦନ କରିଛନ୍ତି ତେବେ ନିଯୁକ୍ତି ନେଇ ସନ୍ଦେହ ହେଉଛି। 

{"id":712818,"width":840,"height":554,"sizeSlug":"full","linkDestination":"none"}

ନିର୍ବାଚନ କମିଶନ (ଇସି) ଓ ମୁଖ୍ୟ ନିର୍ବାଚନ କମିଶନ(ସିଇସି)ଙ୍କ ନିଯୁକ୍ତି ଲାଗି କଲୋଜିୟମ ଭଳି ପ୍ରଣାଳିର ଦାବି କରୁଥିବା ଆବେଦନ ଉପରେ ଶୁଣାଣି କରି ସମ୍ବିଧାନ ପୀଠ କହିଛନ୍ତି ଯେ ଏପରି କଲେ ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତା ସୁନିଶ୍ଚିତ ହୋଇପାରିବ। ତେବେ ବର୍ତ୍ତମାନର ଯେଉଁ ବ୍ୟବସ୍ଥା ରହିଛି ଏଥିରେ କେନ୍ଦ୍ରରେ କ୍ଷମତାସୀନ ଦଳ ନିଜକୁ କ୍ଷମତାରେ କାୟମ ରଖିବା ପାଇଁ ଏହି ପଦବୀରେ ‘ଇୟେସ୍ ମ୍ୟାନ’ ନିଯୁକ୍ତି କରିଦେଇ ପାରନ୍ତି।

ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟ ରମଣୀ ତର୍କ କରିଥିଲେ ଯେ ୧୯୯୧ମସିହାର ଏକ ଅଧିନିୟମ ଅନୁସାରେ ନିର୍ବାଚନ ଆୟୋଗ ନିଜ ସଦସ୍ୟଙ୍କ ବେତନ ଓ କାର୍ଯ୍ୟକାଳ ପ୍ରସଙ୍ଗରେ ସ୍ୱାଧୀନ। ଏଥିରେ ଏପରି କୌଣସି ଟ୍ରିଗର ପଏଣ୍ଟ ନାହିଁ ଯେଉଁଥିରେ ନ୍ୟାୟାଳୟଙ୍କ ହସ୍ତକ୍ଷେପର ଆବଶ୍ୟକତା ପଡିବ। ସରକାରଙ୍କ ପକ୍ଷରୁ ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନ (ସିଇସି)ଙ୍କ ନିଯୁକ୍ତିରେ ବରିଷ୍ଠତା ଦେଖା ଯାଉଛି। ଯେଉଁମାନଙ୍କୁ କ୍ରମଶଃ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରୁ ସଚିବ ଅଥବା ମୁଖ୍ୟ ସଚିବ ପଦର ଅଧିକାରୀଙ୍କୁ ଏହି ପଦବୀରେ ଅଧିଷ୍ଠିତ କରାଯାଉଛି।

ସରକାରଙ୍କ ତର୍କରେ ଜଷ୍ଟିସ୍ କେ.ଏମ. ଜୋସେଫଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସୀୟ ସମ୍ବିଧାନ ପୀଠ କହିଛନ୍ତି ଯେ ଅନୁଷ୍ଠାନର ସ୍ୱଚ୍ଛତା ଓ ସ୍ୱାଧୀନତାକୁ ସେହି ସୀମା ପର୍ଯ୍ୟନ୍ତ ସୁନିଶ୍ଚିତ କରାଯିବା ଦରକାର ଯେଉଁଥିରେ ପ୍ରବେଶ ସ୍ତରରୁ ନିଯୁକ୍ତିର ସ୍କାନ ହେବା ଦରକାର। କାହିଁକି ନା କେନ୍ଦ୍ରରେ ପ୍ରତ୍ୟେକ କ୍ଷମତାସୀନ ସରକାର ନିଜକୁ ସର୍ବଦା କ୍ଷମତାରେ କାୟମ ରଖିବାକୁ ଚାହାନ୍ତି। ଏଥିରେ ଆମେ ଯାହା କରିବାକୁ ଚାହୁଁଛୁ ତାହା ସିଇସି ନିଯୁକ୍ତି ପରାମର୍ଶ ପ୍ରକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ବୋଲି ପୀଠ କହିଛନ୍ତି। ଏହି ପ୍ରକ୍ରିୟାରେ ଭାରତର ମୁଖ୍ୟ ନ୍ୟାୟାଧୀଶଙ୍କୁ ସାମିଲ କରାଗଲେ ପ୍ରକ୍ରିୟାର ସ୍ୱଚ୍ଛତା ଓ ସ୍ୱତନ୍ତ୍ରତା ସୁନିଶ୍ଟିତ ହୋଇ ପାରିବ ବୋଲି ପୀଠ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.