ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ଦେଓ୍ବାନୀ ମାମଲାରେ ଲାଗୁହେବ ନାହିଁ ଏସି-ଏସଟି ଆକ୍ଟ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ଜମିବାଡ଼ି ବିବାଦକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦେଓ୍ବାନୀ ମାମଲାରେ ଏସି-ଏସଟି ଆକ୍ଟ ଲାଗୁହେବ ନାହିଁ । ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର ଲୋକ ଜମିବାଡ଼ି ବିବାଦକୁ ନେଇ କୌଣସି ଉଚ୍ଚ ଜାତିର ଲୋକଙ୍କ ଉପରେ ଏସି-ଏସଟି ଅଧିନିୟମ ଆଇନକୁ ଅସ୍ତ୍ର କରି ପାରିବେ ନାହିଁ । ରବିବାର ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ସୂଚନା ଅନୁଯାୟୀ, ତାମିଲନାଡୁ ଇଗମୋର ଜିଲ୍ଲାରେ ରହୁଥିବା ଜଣେ ଅନୁସୂଚିତ ଜାତିର ବ୍ୟକ୍ତି  ପି. ଭକ୍ତବତ୍ସଳମ୍ ଏକ ସରକାରୀ ଜମିରେ ଘର ନିର୍ମାଣ କରିଥିଲେ । କିଛି ଉଚ୍ଚ ଜାତି ସମ୍ପ୍ରଦାୟର ଲୋକ ଖାଲି ପଡ଼ିଥିବା ସେହି ସ୍ଥାନରେ ମନ୍ଦିର ନିର୍ମାଣ କରିଥିଲେ । ଅନ୍ୟପଟେ ପି. ଭକ୍ତବତ୍ସଳମ୍ ଭବନ ନିର୍ମାଣ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା ।  ପି. ଭକ୍ତବତ୍ସଳମ୍ ମାଟି ତଳେ ଓ ଘରର ପ୍ରଥମ ମହଲା ବେଆଇନ୍ ଭାବେ ନିର୍ମାଣ କରିଥିବା ନେଇ ମନ୍ଦିର ସଂରକ୍ଷକ ମାନେ ଏକ ମାମଲା ରୁଜୁ କରିଥିଲେ । ପରେ ପି. ଭକ୍ତବତ୍ସଳମ୍ ଉଚ୍ଚ ଜାତି ସମ୍ପ୍ରଦାୟ ଲୋକଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ଆଇନ ଆଧାରରେ ଏକ ଏତଲା ଦେଇଥିଲେ । ଏହାର ଶୁଣାଣି କରି ଏଗମୋର ଜିଲ୍ଲା କୋର୍ଟ ଅଭିଯୁକ୍ତଙ୍କୁ ସାମନ ପଠାଇଥିଲେ । ଏହାକୁ ଚ୍ୟାଲେଞ୍ଚ କରି ମାଦ୍ରାସ୍  ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା ଉଚ୍ଚ ଜାତି ସମ୍ପ୍ରଦାୟ । ହେଲେ ହାଇକୋର୍ଟ ଏଥିରେ କୌଣସି ହସ୍ତକ୍ଷେପ କରିନଥିଲେ । ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଉଚ୍ଚ ଜାତି ସମୁଦାୟ ।

ରବିବାର ମାମଲାର ଶୁଣାଣି ପାଇଁ ଅନୁମତି ଦେଇଛନ୍ତି ଜଷ୍ଟିସ୍ ଏମଆର୍ ଶାହା ଓ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କ ଦୁଇ ଜଣିଆ ଖଣ୍ଡପୀଠ । ମାମଲାର ଶୁଣାଣି କରି  ଉଚ୍ଚ ଜାତି ସମ୍ପ୍ରଦାୟ ଲୋକଙ୍କ ଉପରେ ଜିଲ୍ଲା କୋର୍ଟ ଲଗାଇଥିବା ସମନକୁ ଖାରଜ କରିଛନ୍ତି । ଏହା ସହିତ କୌଣସି ଜମିବାଡ଼ି ବିବାଦରେ ଅନୁସୂଚିତ ଜାତି ଓ ଜନଜାତି ଆଇନ୍ ଲାଗୁହେବ ନାହିଁ ବୋଲି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.