ଶ୍ରୀମନ୍ଦିର ଭିତରକୁ ପୋଲିସ ଜୋତା ପିନ୍ଧି ପ୍ରବେଶ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | October 31, 2018 IST

ନୂଆଦିଲ୍ଲୀ ୩୧|୧୦: ପୁରୀରେ ହିଂସାକାଣ୍ଡ ବେଳେ ଶ୍ରୀମନ୍ଦିର ଭିତରକୁ ପୋଲିସ ଜୋତା ପିନ୍ଧି ପ୍ରବେଶ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଗତକାଲି ଏହି ମାମଲାରେ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ଧାଡି ଦର୍ଶନରେ ଅବ୍ୟବସ୍ଥାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କୋହଳ ହୋଇଛି। ମାତ୍ର ସୁପ୍ରିମ କୋର୍ଟଙ୍କ ନିକଟରେ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି, ସେଥିରେ ପ୍ରଶାସନ ଦର୍ଶାଇଛି ଯେ ଧାଡିଦର୍ଶନ ଦ୍ବାରା ଭକ୍ତମାନଙ୍କର କୌଣସି ଅସୁବିଧା ହେଉନାହିଁ। ବରଂ ଏହା ପରିବର୍ତନର ବାଟ ଖୋଲିଛି । ଏ ନେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। କେବଳ ଏତିକି ନୁହେଁ, ୩ ତାରିଖ ଦିନ ପୁରୀ ବନ୍ଦବେଳେ ପୋଲିସ ଜୋତା ପିନ୍ଧି ଶ୍ରୀମନ୍ଦିରରେ ପଶିଥିଲେ ହେଁ,ସେକଥାକୁ ବି ମାନିନାହାନ୍ତି ଶ୍ରୀମନ୍ଦିର କର୍ତ୍ତୃପକ୍ଷ। ସତ୍ୟପାଠରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ସେଦିନ କିମ୍ବା ଅନ୍ୟ କୌଣସି ଦିନ ପୁଲିସ ମନ୍ଦିର ପରିସରକୁ ଜୋତା ପିନ୍ଧି କିମ୍ବା ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରିନାହିଁ। ପୁଲିସ ଅଧିକାରୀମାନଙ୍କୁ ଜଗନ୍ନାଥ ମନ୍ଦିର ପରିସରରେ ସେମାନଙ୍କ କାର୍ଯ୍ୟ ସଂପାଦନା ସମୟରେ ମୋଜା ନ ପିନ୍ଧିବା ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଏହି ମାମଲାରେ ରାଜ୍ୟ ସରକାର, ମନ୍ଦିର ପ୍ରଶାସନକୁ ଜବାବ ତଲବ କରିଥିଲେ କୋର୍ଟ । ପୁରୀରେ ହିଂସାକାଣ୍ଡ ବେଳେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ସେହି ସମୟରେ ଗଣ୍ଡଗୋଳକାରୀଙ୍କୁ ଧରିବାକୁ ଯାଇ ପୋଲିସ ଶ୍ରୀମନ୍ଦିର ପରିସରକୁ ଜୋତା ପିନ୍ଧି ପ୍ରବେଶ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.