ସିବିଆଇ ବିବାଦ ମାମଲା : ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲା ସିଭିସି, ନଭେମ୍ବର ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି

Published By : Prameya-News7 Bureau | November 16, 2018 IST

ନୂଆଦିଲ୍ଲୀ ୧୬|୧୧: ସିବିଆଇ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲା ସିଭିସି । ନଭେମ୍ବର ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରି କେନ୍ଦ୍ରୀୟ ଭିଜିଲାନ୍ସ କମିଟି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଆଲୋକ ବର୍ମାଙ୍କୁ ଏହି ରିପୋର୍ଟର କପି ମିଳିବ । ସୋମବାର ସୁଦ୍ଧା ବନ୍ଦ ଲଫାପାରେ ଆଲୋକ ବର୍ମା ନିଜର ଜବାବ ଦେବା ପରେ ମଙ୍ଗଳବାର ଦିନ ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସିଭିସି ରିପୋର୍ଟ ମିଳିବନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଆଲୋକ ବର୍ମାଙ୍କ ସ୍ଥାନରେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିବା ଏମ୍. ନାଗେଶ୍ବର ରାଓ ନେଇଥିବା ନିଷ୍ପତ୍ତିରେ କୌଣସି ତ୍ରୁଟି ନଥିବା ସୁପ୍ରିମକୋର୍ଟ କହିଛନ୍ତି । ଏହା ବିରୋଧରେ ଆବେଦନ କରିଥିବା ଏନଜିଓ କୌଣସି ପ୍ରମାଣ ଦେଇ ପାରିନଥିବାରୁ କଡା ଟପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଆର୍ଟନି ଜେନେରାଲ ଏବଂ ସଲିସିଟର ଜେନେରାଲଙ୍କୁ ସିଭିସି ରିପୋର୍ଟ କପି ଦେବାପାଇଁ କୁହାଯାଇଛି । ସିଭିସି ରିପୋର୍ଟରେ ଅନେକ ଜଟିଳ ପ୍ରସଙ୍ଗ ରହିଛି । ଆଉ କିଛି ପ୍ରସଙ୍ଗ ଉପରେ ତଦନ୍ତ ଜରୁରୀ ବୋଲି କୋର୍ଟ କହିଛନ୍ତି । ଆଲୋକ ବର୍ମାଙ୍କୁ ସୁପ୍ରିମକୋର୍ଟ କ୍ଲିନ୍ ଚିଟ୍ ଦେଇନାହାନ୍ତି । ତେବେ ତାଙ୍କ ଜବାବ ଦାଖଲ ପରେ ହିଁ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.