ମଣିମେକଲାଇଙ୍କୁ ସୁପ୍ରିକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା: ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ନିର୍ଦ୍ଦେଶ
20/01/2023 at 6:52 PM

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଲୀନା ମଣିମେକଲାଇଙ୍କୁ ସୁପ୍ରିକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା । ବିରୋଧରେ ହୋଇଥିବା ଏଫ୍ଆଇର୍ ନେଇ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଲୀନାଙ୍କ ବିରୋଧରେ ହୋଇଥିବା ମାମଲାକୁ ନେଇ ତାଙ୍କ ଉପରେ ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି।
ଡକ୍ୟୁମେଣ୍ଟାରୀ ‘କାଳୀ’ ଫିଲ୍ମର ପୋଷ୍ଟରକୁ ନେଇ ମଣିମେକଲାଇଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏକାଧିକ ମାମଲା ହୋଇଛି। ଏହି ଫିଲ୍ମର ପୋଷ୍ଟରରେ ମାଆ କାଳୀ ସିଗାରେଟ୍ ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ବିବାଦ ହେବା ପରେ ମଣିମେକଲାଇଙ୍କ ବିରୋଧରେ କେତେକ ରାଜ୍ୟରେ ମାମଲା ହୋଇଥିଲା। ଏନେଇ ମଣିମେକଲାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। କୋର୍ଟ ରାୟ ଦେଇ କହିଥିଲେ ଯେ ଫିଲ୍ମ ପୋଷ୍ଟରକୁ ନେଇ ମଣିମେକଲାଇଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍ ଓ ହେବାକୁ ଯାଉଥିବା ଏଫ୍ଆଇଆର୍କୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ କରାଯିବ ନାହିଁ।
କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ସ୍ଥିତିରେ ମଣିମେକଲାଇଙ୍କ ବିରୋଧରେ ମାମଲା ରୁଜୁ ହେବା ଉଦ୍ଦେଶ୍ୟ ପ୍ରଣୋଦିତ ହୋଇପାରେ। ତେଣୁ ସବୁ ମାମଲାକୁ ଏକାଠୀ କରିବା ପାଇଁ ଲୀନା କରିଥିବା ଆବେଦନରେ ରାୟ ଶୁଣାଇ ସୁପ୍ରିକୋର୍ଟ ବିଭିନ୍ନ ରାଜ୍ୟକୁ ତଲବ କରିଛନ୍ତି।
କାଳୀ ପୋଷ୍ଟର ବିବାଦ ପରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ମାମଲା ରୁଜୁ ହୋଇଥିଲା। କୋର୍ଟ ଏହିସୁବ ରାଜ୍ୟକୁ ନୋଟିସ୍ କରି କାର୍ଯ୍ୟାନୁଷ୍ଠାନ ରୋକିବା ସହ ଆଇନ ଅନୁସାରେ ସମସ୍ତ ମାମଲାକୁ ଏକାଠି ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଲୀନାଙ୍କ ପକ୍ଷରୁ ତାଙ୍କ ଓକିଲ କାମିନି ଜୈଶ୍ୱାଲ କୋର୍ଟଙ୍କୁ ଜଣାଇଥିଲେ ଲୀନାଙ୍କ ବିରୋଧରେ ମୋଟ ୭ଟି ମାମଲା ହୋଇଥିବା ବେଳେ ଗୋଟିଏ ଲୁକ୍ଆଉଟ୍ ନୋଟିସ ଜାରି ହୋଇଛି। ମଣିମେକଲାଇ ଜଣେ ଆଗଧାଡ଼ିର ତାମିଲ ଫିଲ୍ମ ନିର୍ମାତା। ତାଙ୍କ କାମକୁ ଅନେକ ପ୍ରଶଂସା ଓ ସମ୍ମାନ ମିଳିଛି। ଏହା ଉପରେ ଶୁଣାଣି କରି ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ପ୍ରତିପକ୍ଷ ଓକଲି ଦର୍ଶାଇଥିବା କାରଣ ଅନୁସାରେ ଫିଲ୍ମ ନିର୍ମାତାଙ୍କର କୌଣସି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଉଦ୍ଦେଶ୍ୟ ନଥିଲା। ମାମଲା ସବୁକୁ ଏକାଠି କଲେ ଯାଇ ଆବେଦକ ତାଙ୍କ କଥା ରଖିବାକୁ ସ୍ୱାଧୀନତା ପାଇବେ ବୋଲି କୋର୍ଟ କହିଥିଲେ।
ଏହି ମାମଲାର ପରବର୍ତ୍ତି ଶୁଣାଣି ଫେବ୍ରୁଆରୀ ୨୦ ତାରିଖରେ ହେବ। ସୂଚନା ଥାଉକି ମଣିମେକଲାଇ କାଳୀ ପୋଷ୍ଟରକୁ ନେଇ ତାଙ୍କ ବିରୋଧରେ ହୋଇଥିବା ମାମଲା ସବୁକୁ ଏକାଠୀ କରି ଏହାକୁ ରଦ୍ଦ କରିବାକୁ ଆବେଦନ କରିଛନ୍ତି।