ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ ମାମଲାରେ ଜେଲ ଯାଇଥିବା ବିଭବ କୁମାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି। ସର୍ବୋଚ୍ଚ କୋର୍ଟ ବିଭବଙ୍କ ଜାମିନ ମଞ୍ଜୁର କରୁଛନ୍ତି। ଅବଶ୍ୟ ଜାମିନ ସହ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି।
କୋର୍ଟ ଆଦେଶ ଦେଇଛନ୍ତି, ଯେପର୍ଯ୍ୟନ୍ତ ମାମଲାରେ ସମସ୍ତ ସାକ୍ଷୀଙ୍କୁ ପଚରା ଉଚରା ନସରିଛି, ସେପର୍ଯ୍ୟନ୍ତ ବିଭବ କୁମାର କେଜରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ଭାବରେ କାମ କରିବେ ନାହିଁ, କିମ୍ବା ତାଙ୍କର ସରକାରୀ ବାସଭବନକୁ ଯିବେ ନାହିଁ। ସାକ୍ଷୀଙ୍କୁ ପଚରା ଉଚରା ନସରିବା ଯାଏଁ ଏହି ମାମଲା ଉପରେ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ କି' କୌଣସି ପଦରେ ମଧ୍ୟ ରହିପାରିବେ ନାହିଁ।
ବାର୍ ଆଣ୍ଡ୍ ବେଞ୍ଚ୍ର ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ବିଭବଙ୍କ ଜାମିନ ଶୁଣାଣି ବେଳେ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟର ଉଲ୍ଲେଖ କରି ଦିଲ୍ଲୀ ପୋଲିସକୁ କହିଛନ୍ତି, ଜାମିନର ବିରୋଧ ନକରି ଉଭୟ ପକ୍ଷ ମଧ୍ୟରେସନ୍ତୁଳନ ରଖିବାକୁ ହେବ। କାରଣ ଯଦି ସାଧାରଣ ଆଘାତ ଥାଏ ତେବେ ଆପଣ କୌଣସି ବ୍ୟକ୍ତିଙ୍କୁ ୧୦୦ ଦିନରୁ ଅଧିକ ଜେଲରେ ରଖିପାରିବେ ନାହିଁ । ବିଭବ ଜେଲରେ ୧୦୦ ଦିନ ବିତାଇସାରିଲେଣି । ମାମଲାରେ ଶୁଣାଣି ପାଇଁ ଆହୁରି ସମୟ ଲାଗିପାରେ କାରଣ ୫୧ରୁ ଅଧିକ ସାକ୍ଷୀଙ୍କୁ ପଚରା ଉଚାର କରାଯିବ। ଆହୁରି ମଧ୍ୟ ସର୍ବୋଚ୍ଚ କୋର୍ଟ, ସ୍ବତନ୍ତ୍ର ଅଦାଲତଙ୍କୁ ତିନି ସପ୍ତାହ ମଧ୍ୟରେ ଏହି ମାମଲାର ଶୁଣାଣି ସାରିବାକୁ କହିଛନ୍ତି।
ସୂଚନାଥାଉକି, ଗତ ମେ ୧୮ ତାରିଖରେ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ କେଜ୍ରିଓ୍ବାଲଙ୍କୁ ଘରୁ ଗିରଫ କରିଥିଲା। ତାଙ୍କ ବିରୋଧରେ ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲ ଏତଲା ଦେଇଥିଲେ। ଏଫଆଇଆରରେ ସ୍ବାତୀ ଅଭିଯୋଗ ଆଣିଥିଲେ ଯେ, ମେ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସାକ୍ଷାତକାର କରିବାକୁ ତାଙ୍କ ବାସଭବନକୁ ଯାଇଥିବା ସମୟରେ, ବିଭବ ତାଙ୍କୁ ବିନା କାରଣରେ ୭-୮ ଥର ଚାପୁଡ଼ା ମାରିଥିଲେ, ଗୋଇଠା ମଧ୍ୟ ମାରିଥିଲେ।
ସେପଟେ ଗିରଫ ପୂର୍ବରୁ ମେ ୧୭ରେ ଦିଲ୍ଲୀ ପୋଲିସକୁ ଏକ ଇମେଲରେ ନିଜ ଅଭିଯୋଗ ଜଣାଇଥିଲେ ବିଭବ।ମେଲରେ ବିଭବ, ସ୍ବାତୀ ମାଲିଓ୍ବାଲଙ୍କ ଉପରେ ଅଭିଯୋଗ ଆଣିବା ସହ କହିଥିଲେ ଯେ, ସ୍ବାତୀ ବିନା ଅନୁମତିରେ ବଳପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପଶିଥିଲେ। ସ୍ବାତୀହିଁ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ଆଉ ମାରପିଟ୍ କରିଥିଲେ।ଏମିତିକି ମିଥ୍ୟା କେସରେ ଫସାଇବାକୁ ମଧ୍ୟ ଧମକ ଦେଇଥିଲେ, ବୋଲି କହିଥିଲେ ବିଭବ।
ତେବେ ଜୁଲାଇ ୩୦ରେ ଅଦାଲତ ବିଭବ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦ୍ବାରା ଜୁଲାଇ ୧୬ରେ ରୁଜୁ ୫୦୦ ପୃଷ୍ଠାର ଚାର୍ଜସିଟ୍ର ଶୁଣାଣି କରିଥିଲେ। ମାମଲାରେ ୧୦୦ରୁ ଅଧିକ ଲୋକଙ୍କୁ ପଚରା ଉଚରା କରାଯାଇଥିଲା ଏବଂ ୫୦ରୁ ଅଧିକ ଲୋକଙ୍କୁ ସାକ୍ଷୀ କରାଯାଇଥିଲା। ଅଗଷ୍ଟ ୨୪ରେ ଦିଲ୍ଲୀ କୋର୍ଟ ବିଭବଙ୍କୁ ବିଚାର ବିଭାଗୀୟ ହାଜତକୁ ସେପ୍ଟେମ୍ବ ୧୩ ପର୍ଯ୍ୟନ୍ତ ପଠାଇଥିଲେ।