ନୂଆଦିଲ୍ଲୀ ୧୯।୦୭ : କେନ୍ଦ୍ର ସରକାରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା)ର ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରସ୍ତୁତ କର । ନଚେତ ଅଦାଲତ ବିଚରାଧୀନ କଏଦୀଙ୍କୁ ଜାମିନ ଦେବାକୁ ବାଧ୍ୟ ହେବେ ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ଏପରି କଡ଼ା ଚେତାବନୀ ଦେଇଛନ୍ତି ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଶୁକ୍ରବାର ଦିନ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସମୟରେ ମଧ୍ୟରେ ଏନ୍ଆଇଏ ମାମଲାର ଶୁଣାଣି ପାଇଁ ଯଦି ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନକରିବେ । ତେବେ ଅଦାଲତଙ୍କ ପାଖରେ ବିଚରାଧୀନ କଏଦୀଙ୍କୁ ଜାମିନ ଦେବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ବର୍ତ୍ତମାନ ଯେତିକି ପରିମାଣର କୋର୍ଟ ଅଛି, ତାହାକୁ ସ୍ୱତନ୍ତ୍ର ଅଦାଲତ ଭାବେ ଘୋଷଣା କରିଦେବା ଠିକ୍ ନୁହେଁ । ଏପରି କରିବା ଦ୍ୱାରା କଏଦୀ, ବରିଷ୍ଠ ନାଗରିକ, ଗରିବଙ୍କ ସମେତ ବୈବାହିକ ବିବାଦ ଭଳି ଅନ୍ୟ ଜରୁରୀ ମାମଲା ଉପରେ ପ୍ରଭାବ ପଡିପାରେ । ବେଆଇନ୍ କାର୍ଯ୍ୟକଳାପ ନିରୋଧୀ ଆଇନ ଏବଂ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ ଭଳି ଆଇନ ଅଧିନରେ ସ୍ୱତନ୍ତ୍ର ମାମଲାର ଶୁଣାଣି ପାଇଁ ଉଦ୍ଦିଷ୍ଟ ଅଦାଲତ ସ୍ଥାପନା ଉପରେ ଖଣ୍ଡପୀଟ ଗୁରୁତ୍ୱ ଦେଇଛନ୍ତି । ଦୀର୍ଘ ଧରି ଜେଲ୍ରେ ଥିବା ଅଭିଯୁକ୍ତଙ୍କ ମାମଲାର ଶୁଣାଣି କରି କୋର୍ଟ ଏପରି କହିଛନ୍ତି ।
ସେହିପରି ଖଣ୍ଡପୀଠ ଆହୁରି ମଧ୍ୟ କହିଥିଲେ ଯେ, ଯଦି ସମୟ ସୀମା ମଧ୍ୟରେ ମାମଲା ସଂପୂର୍ଣ୍ଣ କରିବା ପାଇଁ କୌଣସି ପ୍ରଭାବୀ ବ୍ୟବସ୍ଥା ଉପଲବ୍ଧ ନ କରାଯାଏ । ତେବେ ଏପରି ସନ୍ଦିଗ୍ଧଙ୍କୁ କେତେ ଦିନ ଯାଏଁ ହେପାଜତରେ ରଖିପାରିବା । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେବା ଉଚିତ୍ । ଯଦି ଉଭୟ ସରକାର ଏ ଦିଗରେ ଧ୍ୟାନ ନ ଦିଅନ୍ତି । ତେବେ ଆବେଦନକାରୀଙ୍କ ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ତାରିଖରେ ଗୁଣ-ଦୋଷ ଆଧାରରେ ବିଚାର କରାଯାଇ ଜାମିନ ଦିଆଯିବ । ବର୍ଷ ବର୍ଷ ଧରି କଏଦୀ ଜେଲ୍ରେ ସଢୁଥିବା ବେଳେ ମାମଲାର ଶୁଣାଣି ଆରମ୍ଭ କୋର୍ଟଙ୍କ ଆଦରେ ଏକ ଜଟିଳ ପରିସ୍ଥିତି । ତେଣୁ ଏପରି ମାମଲାରେ ଜାମିନ ଦେବା କିମ୍ବା ନଦେବା ସମ୍ବିଧାନର ଧାରା ୨୧ର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି ।