‘୨୪ ଘଣ୍ଟା ଭିତରେ ଘୋଷଣା କର ତାରିଖ’, ଏମସିଡି ମେୟର ନିର୍ବାଚନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | February 17, 2023 IST

ନୂଆଦିଲ୍ଲୀ: ଏମସିଡି ମେୟର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଦିଲ୍ଲୀ ମେୟର ନିର୍ବାଚନ ଏବଂ ବୈଠକ ପାଇଁ ୨୪ ଘଣ୍ଟା  ଭିତରେ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ନିର୍ବାଚନରେ ବରିଷ୍ଠ ନାଗରିକଙ୍କୁ ମତଦାନରୁ ବଞ୍ଚିତ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ବୈଠକରେ ମେୟର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଭାରତୀୟ ଜନତା ପାର୍ଟିକୁ ଝଟକା ଲାଗିଥିବା ବେଳେ ଅନ୍ୟପଟେ ଲୋକତନ୍ତ୍ରର ବିଜୟ ହୋଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେନ୍ଦ୍ରିଓ୍ବାଲ କହିଛନ୍ତି ।

ନିର୍ବାଚନର ଅଢେଇ ମାସ ପରେ ଦିଲ୍ଲୀ ମହାନଗର ନିଗମକୁ ମିଳିବ ମେୟର । ଏମସିଡି ମେୟର ନିର୍ବାଚନ ପାଇଁ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ୨୪ଘଣ୍ଟା ଭିତରେ ମେୟର ନିର୍ବାଚନ ଓ ଏମସିଡିର ପ୍ରଥମ ବୈଠକ ପାଇଁ ନୋଟିସ୍ ଜାରି କରିବାକୁ  କୋର୍ଟ ଆଦେଶ ଦେଇଛନ୍ତି । ଏହି ବୈଠକରେ ମେୟର, ଡେପୁଟି ମେୟର ଓ ଅନ୍ୟ ସଦସ୍ୟ ମତଦାନ ପାଇଁ ତାରିଖ ସ୍ଥିର କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ପୂର୍ବରୁ କୋର୍ଟ ମେୟର ନିର୍ବାଚନରେ ବରିଷ୍ଠ ନାଗରିକ ମତଦାନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନ ପାଇଁ ୩ଥର ବୈଠକ ବିଫଳ ହେବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଆମ୍ ଆଦମୀ ପାର୍ଟି ମେୟର ପ୍ରାର୍ଥୀ ଶୌଲି ଓବରୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଏହା ସହିତ ଏମସିଡି ମେୟର ନିର୍ବାଚନ ପାଇଁ ଏକ ନିଦ୍ଧିଷ୍ଟ ତାରିଖ ଘୋଷଣା କରିବାକୁ ଗୁହାରି କରିଥିଲେ । ପୂର୍ବ ଶୁଣାଣିରେ କୋର୍ଟ, ଦିଲ୍ଲୀ ନଗର ନିଗମର ମନୋନିତ ସଦସ୍ୟ ମତଦାନ କରିପାରିବେ ନାହିଁ ବୋଲି କହିଥିଲେ । ଏମସିଡି ନିର୍ବାଚନରେ ମୋଟ୍ ୨୫୦ ନିର୍ବାଚିତ ସଦସ୍ୟ ରହିଥିବା ବେଳେ ଏଥିମଧ୍ୟରୁ ଆପ୍ ୧୩୪ ଆସନ ସହ ବହୁମତ ପାଇଛି । ହେଲେ ବିଜେପି ବାରମ୍ବାର ମେୟର ନିର୍ବାଚନକୁ ଟାଳୁଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.