ଘୁଞ୍ଚିବନି NEET ପରୀକ୍ଷା, ଯାଚିକା ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
9/09/2020 at 1:18 PM

ନୂଆଦିଲ୍ଲୀ ୦୯/୦୯: ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ଘୁଞ୍ଚାଇବା ବା ସ୍ଥଗିତ ରଖିବା ଯାଚିବା ଉପରେ ଶୁଣାଣି କରିବାକୁ ଆଜି ମନା କରିଛନ୍ତି। ପୂରା ଦେଶରେ ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷା ଜେଇଇ ମେନ୍ ସଫଳତାପୂର୍ବକ ଶେଷ ହେବା ପରେ ଏବେ ‘ନିଟ୍’ ପରୀକ୍ଷା ପ୍ରସ୍ତୁତି ଆରମ୍ଭ ହୋଇଛି। ପରୀକ୍ଷା ଆୟୋଜିତ କରିବା ପାଇଁ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପୂରା ପ୍ରସ୍ତୁତି କରିସାରିଛି। ଏଣୁ ବିଶ୍ବବ୍ୟାପି ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ଆୟୋଜନ ହେବ। ଯେଉଁଥିପାଇଁ ୧୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି।
ଏହି ଯାଚିକା ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଓ ଝାଡଖଣ୍ଡର ଛଅଜଣ ମନ୍ତ୍ରୀ ଦାୟର କରିଥିଲେ। ନିଟ୍/ଜେଇଇ ପରୀକ୍ଷାରେ ସାମିଲ ହେବାକୁ ଥିବା ପରୀକ୍ଷାର୍ଥୀଙ୍କ ସୁରକ୍ଷା ଓ ସେମାନଙ୍କ ଜୀବନକୁ ଅଧିକ ସୁରକ୍ଷିତ କରିବା ଦିଗରେ ସେମାନେ ଅଦାଲତର ଦ୍ବାରସ୍ଥ ହୋଇଥିଲେ।
ସାମାଜିକ ଦୂରତ୍ବକୂ ଦୃଷ୍ଟିରେ ରଖି ଏନଟିଏ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨,୫୪୬ରୁ ବୃଦ୍ଧି କରି ୩,୮୪୩ କରି ଦେଇଛି। ସେହିପରି ପ୍ରତ୍ୟେକ ହଲ୍ରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୪ରୁ ହଟାଇ ୧୨ କରାଯାଇଛି। ପରୀକ୍ଷା କେନ୍ଦ୍ରରର ପ୍ରବେଶଠୁ ନେଇ ହଲ ପର୍ଯ୍ୟନ୍ତ ସାମାଜିକ ଦୂରତ୍ବ ଉପରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ, ସାନିଟାଇଜର ବ୍ୟତୀତ ସୁରକ୍ଷା ପ୍ରୋଟୋକଲକୁ ଧ୍ୟାନରେ ରଖିବା ପାଇଁ ଆଡଭାଇଜରି ଜାରି ବି କରାଯାଇଛି।