ଗିରଫ ହେବେ ଅଭିଜିତ ; ଜାମିନ୍ ନାମଞ୍ଜୁର କଲେ ସୁପ୍ରିମ୍‌କୋର୍ଟ

Published By : Prameya-News7 Bureau | October 04, 2018 IST

ନୂଆଦିଲ୍ଲୀ ୪|୧୦:  ସୁପ୍ରିମକୋର୍ଟ ଆଜି ଅଭିଜିତ ଆୟରଙ୍କ ଜାମିନ ନାମଞ୍ଜୁର କରିଛନ୍ତି ।ଓଡ଼ିଶା ସଂସ୍କୃତି ପ୍ରତି ଅଭିଜିତ ଆୟର ମିତ୍ରଙ୍କ ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ । ତେବେ ଅଭିଜିତ ଆୟର ମିତ୍ର ମନ୍ତବ୍ୟକୁ ଭର୍ସନା କଲେ ସୁପ୍ରିମକୋର୍ଟ । କୌଣସି ସଂସ୍କୃତି ପ୍ରତି ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ।ଏହି ମାମଲାର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ଗଠନ ହୋଇଥିଲା । ଖଣ୍ଡପୀଠ କହିଥିଲେ ଯେ, ଅଭିଜିତଙ୍କ ପାଇଁ ସୁରକ୍ଷିତ ସ୍ଥାନ ହେଉଛି ଜେଲର ଚାରିକାନ୍ଥ । ସୂଚନା ଯୋଗ୍ୟ ଯେ, ସୁପ୍ରିମକୋର୍ଟ ଗତ ୨୭ତାରିଖରେ ଅଭିଜିତଙ୍କୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଥିଲେ । ଏହି ମାମଲାରେ ୨୮ତାରିଖରେ କୋଣାର୍କ ପୋଲିସ ଥାନାରେ ହାଜର ହେବା ପାଇଁ ଅଭିଜିତକୁ ଦିଲ୍ଲୀର ସାକେତ ମେଟ୍ରୋପଲିଟାନ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ତେବେ ତାହା ପୂର୍ବରୁ ଅଭିଜିତ ସୁପ୍ରିମକୋର୍ଟରୁ ଅନ୍ତରୀଣ ସୁରକ୍ଷା ନେଇଥିଲେ । ଗତ ମାସରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଭିଜିତ ଆୟର ମିତ୍ର ଏବଂ ଆଉ ଜଣେ ମହିଳାଙ୍କୁ ହେଲିକପ୍ଟର ଯୋଗେ ପୁରୀ, କୋଣାର୍କ ଓ ଚିଲିକା ବୁଲି ଦେଖାଇଥିଲେ । ଅଭିଜିତ କୋଣାର୍କ ମନ୍ଦିର ପରିସରରେ ଠିଆହୋଇ କୋଣାର୍କ ନିର୍ମାଣ ଶୈଳୀ ସଂପର୍କରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଟ୍ବିଟରରେ ତାହା ପୋଷ୍ଟ କରିଥିଲେ । ଟ୍ବିଟ୍ କୁ ନେଇ ସମଗ୍ର ରାଜ୍ୟରେ ଝଡ ସୃଷ୍ଟି ହୋଇଥିଲା । ଏତିକିବେଳେ ଅଭିଜିତଙ୍କ ଆଉ ଏକ ପୁରୁଣା ଟ୍ବିଟ୍ ସାମ୍ନାକୁ ଆସିଥିଲା । ପୁରୁଣା ଟ୍ବିଟ୍ ରେ ଅଭିଜିତ ଜଗନ୍ନାତ କୋଲକତାର ଏବଂ ଓଡିଆମାନେ ତାଙ୍କୁ ଚୋରୀ କରି ଆଣିଛନ୍ତି ବୋଲି ଲେଖିଥିଲେ । ସେହିଭଳି ଓଡିଶା ପଶ୍ଚିମବଙ୍ଗର ଏକ ଜଙ୍ଗଳ ଅଞ୍ଚଳ ଥିଲା ବୋଲି ଅଭିଜିତ ଲେଖିବା ସହ ଓରି-ଶଳାରୁ ଓଡିଶାର ନାଁ ଆସିଛି ବୋଲି ଲେଖିଥିଲେ । ଏହାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ଅଭିଜିତ ବିରୋଧରେ ମାମଲା ଦାୟର ହୋଇଥିଲା । ଏପରିକି ବିଧାନସଭାର ମୌସୁମୀ ଅଧିବେଶନରେ ଏ ସଂପର୍କରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା । ଅଭିଜିତ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସଂପର୍କରେ ନିଷ୍ପତ୍ତି ନେବା ପାଇଁ ୬ଜଣିଆ ଗୃହ କମିଟି ଗଠନ ହୋଇଥିଲା । କମିଟିର ଇତି ମଧ୍ୟରେ ଦୁଇଟି ବୈଠକ ଅନୁଷ୍ଠିତ ହୋଇସାରିଛି । ଆସନ୍ତା ୧୧ତାରିଖ ଦିନ କମିଟି ନିକଟରେ ହାଜର ହେବା ପାଇଁ ଅଭିଜିତଙ୍କୁ ନୋଟିସ୍ ଜାରି କରାଯାଇଛି । ଆଜି ସୁପ୍ରିମକୋର୍ଟ ଅଭିଜିତ ଆୟର ମିତ୍ରର ଜାମିନ ନାମଞ୍ଜୁର କରିବା ପରେ ସେ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.