ମାନହାନୀ କେସରେ ଫସିଗଲେ ସିସୋଦିଆ ? ଆବେଦନ ଉପରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାନହାନୀ କେସରେ ସୁପ୍ରିମକୋର୍ଟ ତାଙ୍କ ଯାଚିକା ଉପରେ ବିଚାର କରିବାକୁ ମନା କରିଛନ୍ତି । ଗୌହାଟୀ ହାଇକୋର୍ଟ ମାନହାନୀ କେସକୁ ଶେଷ କରିବା ପାଇଁ ମନା କରିବା ପରେ ଆପ୍ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅପିଲ କରିଥିଲେ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ନଲିନ କୋହଲି କହିଥିଲେ ଯେ ସୁପ୍ରିମକୋର୍ଟ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀଙ୍କ ଓକିଲଙ୍କ ଯୁକ୍ତିକୁ ଖାରଜ କରିଛନ୍ତି ଏବଂ ଆବେଦନକୁ ଗ୍ରହଣ କରି ନାହାନ୍ତି । ଏବେ ଗୌହାଟୀରେ ମାମଲାର ସାମନା କରିବାକୁ ପଡିବ । ଗୌହାଟୀର ଏକ ନିମ୍ନ ଅଦାଲତରେ ଦାଖଲ ଏକ କେସକୁ ରଦ୍ଦ କରିବା ପାଇଁ ସିସୋଦିଆ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ସିସୋଦିଆଙ୍କ ଯାଚିକାକୁ ଖାରଜ କରିଥିଲେ ।

ଚଳିତ ବର୍ଷ ଜୁନରେ ଗଣମାଧ୍ୟମରେ ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ଆପ୍ ନେତା । କରୋନା ମାହାମାରୀ ସମୟରେ ପିପିଇ କିଟ୍ କିଣାରେ ଦୁର୍ନୀତିର ଅଭିଯୋଗ ଆଣିଥିଲେ । ସିସୋଦିଆ କହିଥିଲେ ଯେ ଆସାମ ସରକାର ଅନ୍ୟ କମ୍ପାନିଙ୍କ ଠାରୁ ପ୍ରତି କିଟ୍ ପିଛା ୬୦୦ ଟଙ୍କା ହିସାବରେ ପିପିଇ କିଣିଥିଲେ ଏବଂ ଶର୍ମାଙ୍କ ପତ୍ନୀ ଏବଂ ପୁଅଙ୍କ ବ୍ୟବସାୟୀକ ଭାଗିଦାରୀ ଥିବା କମ୍ପାନିଙ୍କୁ ୯୯୦ ଟଙ୍କାରେ ହିସାବରେ କିଟ୍ ଯୋଗାଣର ଟେଣ୍ଡର ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.