ମୃତ୍ୟୁଯନ୍ତା ପାଲଟିଛି ବୋରଓ୍ବେଲ୍, ୪ ବର୍ଷରେ ଗଲାଣି ୨୮୧ ମୁଣ୍ଡ
11/06/2023 at 11:34 AM

ନୂଆଦିଲ୍ଲୀ ୧୧।୦୬: ଥମୁନି ବୋରଓ୍ବେଲ୍ ମୃତ୍ୟୁ । ଜଣଙ୍କ ପରେ ଜଣେ ପଡୁଛନ୍ତି ମୃତ୍ୟୁ ଯନ୍ତାରେ । ବିଶେଷ କରି କୁନି କୁନି ପିଲାଙ୍କ ଜୀବନ ନେଉଛି କାଳ ବୋରଓ୍ବେଲ୍ । ମାସେ କି ୨ମାସର ଅନ୍ତରରେ ଲିଭୁଛି ଜଣଙ୍କର ଜୀବନଦୀପ । ଖୋଲା ପଡ଼ିଥିବା ବୋରୱେଲରେ ପଡ଼ିବା ଯୋଗୁଁ ପ୍ରତିବର୍ଷ ଯାଉଛି ୫୦-୬୦ ଜୀବନ । ଏଥିପାଇଁ ସୁପ୍ରିମକୋର୍ଟ ଜାରି କରିଛନ୍ତି ନିର୍ଦ୍ଦେଶନାମା । କିନ୍ତୁ ଏଥିରେ ବି ମିଳୁନି ସୁଫଳ । ରିପୋର୍ଟ ଅନୁଯାୟୀ ୪ ବର୍ଷରେ ଗଲାଣି ୨୮୧ ମୁଣ୍ଡ ।

ଏବେ ନିକଟ ଅତୀତରେ ବୋରଓ୍ବେଲରେ ପଡି ଜୀବନ ଯୁଦ୍ଧରେ ହାରିଯାଇଛି ୩ବର୍ଷର ନିରୀହ ସୃଷ୍ଟି । ମଙ୍ଗଳବାର ଖେଳୁଥିବାବେଳେ ୩୦୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିଲେ ମଧ୍ୟପ୍ରଦେଶ ସିହୋରର ଏହି କୁନି ଝିଅ । ସୃଷ୍ଟିକୁ ଉଦ୍ଧାର ପାଇଁ ଲାଗିଥିଲେ ସେନା, ଏନଡିଆରଏଫ, ଏସଡିଆରଏଫ ଏବଂ ରୋବୋଟିକ ଟିମ୍ । ଉଦ୍ଧାର ପାଇଁ ଚାଲିଥିଲା ଅପରେସନ । ୫୦ ଘଣ୍ଟା ପରେ ସୃଷ୍ଟିକୁ କରାଯାଇଥିଲା ରେସ୍କ୍ୟୁ । କିନ୍ତୁ ସେତେବେଳକୁ ମୃତ୍ୟୁକୋଳକୁ ଚାଲିଯାଇଥିଲା କୁନି ଜୀବନ । ଏହାପୂର୍ବରୁ ଜୁନ୍ ୨ରେ ଗୁଜୁରାଟର ଜାମନଗରରେ ୨୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିଲା ଦୁଇ ବର୍ଷର ଝିଅ । ତାକୁ ଉଦ୍ଧାର ପାଇଁ ୧୯ଘଣ୍ଟାରୁ ଅଧିକ ସମୟ ଲାଗିଥିଲେ ମଧ୍ୟ ସମସ୍ତେ ହୋଇଥିଲେ ବିଫଳ । ସେହିପରି ଗତବର୍ଷ ଡିସେମ୍ବରରେ ମଧ୍ୟପ୍ରଦେଶର ୮ ବର୍ଷିୟ ତନ୍ମୟର ବୋରୱେଲରେ ପଡ଼ି ହୋଇଥିଲା ମୃତ୍ୟୁ । ତାକୁ ଉଦ୍ଧାର ପାଇଁ କରାଯାଇଥିଲା ୮୪ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ।

ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରେ ଅନେକ ଶିଶୁ ବୋରୱେଲରେ ପଡୁଥିବା ଖବର ଆସୁଛି । ଅଧିକାଂଶଙ୍କର ବୋରୱେଲ ଭିତରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହେଉଛି । ସୃଷ୍ଟି ହେଉ କି ତନ୍ମୟ, ଏମିତି ୪ବର୍ଷରେ ଗଲାଣି ୨୮୧ ଜଣଙ୍କ ଜୀବନ । NCRBର ରିପୋର୍ଟ ଅନୁଯାୟୀ, ୨୦୧୮-୨୦୨୧ରେ ସମଗ୍ର ଦେଶରେ ଯାଇଛି ସମସ୍ତ ଜୀବନ । ୨୦୧୮ରେ ୧୨୧ଜଣ, ୨୦୧୯ରେ ୬୨ଜଣ ,୨୦୨୦ରେ ୬୫ଜଣ ଏବଂ ୨୦୨୧ରେ ୩୩ଜଣଙ୍କର ଯାଇଛି ଜୀବନ । ଏମାନଙ୍କ ମଧ୍ୟରୁ କେବଳ ରହିଛନ୍ତି ୩୪ଜଣ ପିଲା । ସମସ୍ତଙ୍କ ବୟସ ୧୪ ବର୍ଷରୁ କମ୍ ।

ବୋରୱେଲ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ୨୦୧୦ରେ ଦେଇଥିଲେ ନିର୍ଦ୍ଦେଶ । ଫେବୃଆରୀ ୧୧ରେ ସୁପ୍ରିମକୋର୍ଟ ବୋରୱେଲ ସମ୍ବନ୍ଧରେ ଅନେକ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ତତ୍କାଳୀନ CJI କେ.ଜି. ବାଲାକ୍ରିଷ୍ଣନଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ନିର୍ଦ୍ଦେଶନାମାକୁ ବ୍ୟାପକ ପ୍ରଚାର କରିବାକୁ କହିଥିଲେ । ଆଉ ଏପରି ଘଟଣାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜାରି କରାଯାଇଥିଲା ନୋଟିସ୍ ।
ଏହି ନୋଟିସ୍ ଅନୁଯାୟୀ:-
ବୋରୱେଲ ଖୋଳିବାର ୧୫ ଦିନ ପୂର୍ବରୁ ଜମି ମାଲିକଙ୍କୁ ଡିସି କିମ୍ବା ସରପଞ୍ଚଙ୍କୁ ଜଣାଇବାକୁ ପଡିବ ।
ଅଧିକାରୀଙ୍କ ତତ୍ତ୍ବାବଧାନରେ ଖୋଳାଯିବା ବୋରୱେଲ ।
ବୋରୱେଲ ଖୋଳିବା ସମୟରେ ସୂଚନା ବୋର୍ଡ ସଂସ୍ଥାପିତ ହେବାକୁ ପଡିବ ।
ବୋରୱେଲ ଚାରିପାଖରେ ଏକ କଣ୍ଟା ତାରର ବାଡ଼ ତିଆରି କରିବାକୁ ପଡିବ।
ଚାରିପାଖରେ ଏକ କଂକ୍ରିଟ୍ କାନ୍ଥ ତିଆରି କରିବାକୁ ପଡିବ ।
ସହରାଞ୍ଚଳରେ ଗାଇଡଲାଇନର ପାଳନ କରିବେ ଡିସି ଏବଂ ଗ୍ରାମାଞ୍ଚଳରେ ନିର୍ଦ୍ଦେଶାବଳୀ ଅନୁସରଣ କରିବେ ସରପଞ୍ଚ ।
ବୋରୱେଲ କିମ୍ବା କୂଅକୁ ଘୋଡାଇବା ପାଇଁ ମଜବୁତ ଷ୍ଟିଲ୍ ଢାଙ୍କୁଣୀ ସ୍ଥାପନ କରିବାକୁ ପଡିବ ।
ବୋରୱେଲ କାମ ସରିବା ପରେ ଆଖପାଖର ଗର୍ତ୍ତଗୁଡ଼ିକୁ ସଂପୂର୍ଣ୍ଣ ଭର୍ତ୍ତି କରିବା ଆବଶ୍ୟକ ।
ଏତେ ନିୟମ ପରେ ବି ସ୍ଥିତିରେ ଆସିନି ସୁଧାର । ନା ପାଳନ ହେଉଛି କୌଣସି ନିୟମ । ନାଁ ଲାଗୁଛି ମୃତ୍ୟୁରେ ବ୍ରେକ୍ ।
You Can Read: