ଜେଲରେ କଏଦୀଙ୍କୁ ଛୁଇଁ ପାରିବ ନାହିଁ କି କରୋନା ? ଜାମିନର ତର୍ଜମା ପାଇଁ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ନୋଟିସ୍

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୦୩ : ଦେଶରେ କରୋନା ଭୂତାଣୁର ବଢୁଥିବା ପ୍ରକୋପ ମଧ୍ୟରେ ଗୋଟିଏ ଖବର ଜେଲ୍ ଓ କଏଦୀଙ୍କୁ ନେଇ ଆସିଛି। ସଂପ୍ରତି ସୁପ୍ରିମକୋର୍ଟ ଜେଲ୍‌ରେ ବନ୍ଦୀ କଏଦୀଙ୍କୁ ରିମାଣ୍ଡ କିମ୍ବା ଜାମିନରେ ମୁକ୍ତ କରିବାକୁ ଚିନ୍ତା କରୁଛି। ଯଦ୍ଵାରା ସେଠାରେ ଭିଡ କମ ହୋଇ ପାରିବ ଏବଂ କଏଦୀଙ୍କ ମଧ୍ୟରେ କରୋନା ଭୂତାଣୁ ବ୍ୟାପିବ ପାରିବ ନାହିଁ। କୋର୍ଟ ସମସ୍ତ ରାଜ୍ୟଙ୍କୁ ପଚାରିଛି ଯେ, କଣ ସାତ ବର୍ଷ ଯାଏ କଡା ସଜା କାଟିଥିବା କଏଦୀଙ୍କୁ  ଜାମିନ ଦିଆଯାଇ ପାରିବ ?

‘ବାର ଆଣ୍ଡ ବେଞ୍ଚ’ର ରିପୋର୍ଟ ଅନୁଯାୟୀ, ଭାରତର ପ୍ରଧାନ ବିଚାରପତି ଏସ.ଏ. ବୋବଡେଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ସମସ୍ତ ରାଜ୍ୟକୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ଜେଲ୍‌ରେ ଭିଡ କମ କରିବା ଉପରେ କାମ କରିବେ। ରାଜ୍ୟଗୁଡିକୁ ଏହା ମଧ୍ୟ ନିର୍ଦ୍ଧାରିତ କରିବାକୁ କୁହାଯାଇଛି ଯେ, କେଉଁ ବର୍ଗର କଏଦୀଙ୍କୁ କିମ୍ବା ଦୋଷୀ ସାବ୍ୟସ୍ତ  ହୋଇ ଜେଲ ଭୋଗୁଥିବା ବନ୍ଦୀଙ୍କୁ  ଏବଂ ବିଚାରଧୀନ କଏଦୀଙ୍କୁ ମୁକ୍ତ କରାଯାଇ ପାରିବ, କାହାକୁ ପାରୋଲ କିମ୍ବା ଜାମିନରେ ଛଡା ଯାଇ ପାରିବ ତା ଉପରେ ତର୍ଜମା କରିବାକୁ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ ରିମାଣ୍ଡ ହୋମରେ ରହୁଥିବା ଜୁଭେନାଇକ କଏଦୀଙ୍କୁ ମୁକ୍ତ କରିବା ନେଇ ମଧ୍ୟ ପ୍ରସ୍ତାବ ଦେବାକୁ କୁହାଯାଇଛି। ଗତ ଶୁଣାଣିରେ କୋର୍ଟ ସମୀକ୍ଷା କରିଥିଲେ ଯେ, ଭାରତର ଜେଲ୍‌ଗୁଡିକରେ କଏଦୀଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଏହି କାରଣରୁ ସେଠାରେ କରୋନା ଭୂତାଣୁ ବ୍ୟାପିବାର ବିପଦ ଅଧିକ ରହିଛି। ଏହା ପୂର୍ବରୁ କୋର୍ଟ ସମସ୍ତ ଜେଲ୍ ଅଧିକାରୀଙ୍କୁ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସାମାଜିକ କଲ୍ୟାଣ ବିଭାଗକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏଥିରେ ପ୍ରଶ୍ନ କରାଯାଇଥିଲା ଯେ, ଜେଲ୍‌ରେ କୋଭିଡ-୧୯ ବିପଦର ମୁକାବିଲା ପାଇଁ କଣ ପାଇଁ ନିର୍ଦ୍ଦେଶ ଦିଆଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.