ଏସସି-ଏସଟି ମଧ୍ୟରେ ଉପ-ଶ୍ରେଣୀକରଣକୁ ସୁପ୍ରିମକୋର୍ଟଙ୍କ ହଁ; କହିଲେ ସଂରକ୍ଷିତ ବ୍ୟବସ୍ଥାରେ ମିଳିବ ଅଧିକ ଫାଇଦା

Published By : Prameya-News7 Bureau | August 01, 2024 IST

ନୂଆଦିଲ୍ଲୀ: ଗୁରୁବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସଂରକ୍ଷଣ ଭିତରେ କୋଟାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, କୋଟା ବର୍ଗୀକରଣରେ ଉପ-ଶ୍ରେଣୀକରଣ ଅସମାନତା ବିରୋଧରେ ନୁହେଁ ।  ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ କହିଛନ୍ତି, ଏସସି-ଏସଟି ମଧ୍ୟରେ ବର୍ଗୀକରଣ କରି ସବ୍-କାଟେଗୋରୀରେ ଭାଗ କରିହେବ । ଏହା ଦ୍ବାରା ସଂରକ୍ଷଣ ବ୍ୟବସ୍ଥାରେ ଲୋକଙ୍କୁ ଅଧିକ ଫାଇଦା ମିଳିବ ।  କୋଟା ଭିତରେ କୋଟା ତର୍କସଂଗତ ଆଧାରରେ ହେବ । ଏହାକୁ ନେଇ ରାଜ୍ୟ ସରକାର ମାନେ ମନମୁଖି କାର୍ଯ୍ୟ କରିପାରିବେ ନାହିଁ । ଜଷ୍ଟିସ୍  ବି.ଆର୍ ଗୋଓ୍ବଇ କହିଛନ୍ତି, ପ୍ରକୃତ ବାସ୍ତବତାକୁ ଅସ୍ବୀକାର କରିହେବ ନାହିଁ, ଏସସି-ଏସଟି ମଧ୍ୟରେ ଏମିତି କିଛି ଜାତି ରହିଛନ୍ତି, ଯେଉଁ ବର୍ଷ ବର୍ଷ ଧରି ଅତ୍ୟଚାର ସହି ଆସୁଛନ୍ତି । ସମ୍ବିଧାନରେ ଧାରା ୧୪ ଜାତି ମଧ୍ୟରେ ଉପ-ଶ୍ରେଣୀକରଣକୁ ଅନୁମତି ଦେଇଛି ।

କୋଟା ଭିତରେ କୋଟାକୁ ନେଇ ଗୁରୁବାର ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ, ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୭ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଣିଛନ୍ତି । ସୁପ୍ରିମକୋର୍ଟ ୬:୧ରେ ଏହି ରାୟ ଶୁଣାଇଛନ୍ତି । ୭ଜଣ ବିଚାରପତିଙ୍କ ମଧ୍ୟରୁ ୬ଜଣ ଏସସି-ଏସଟି ମଧ୍ୟରେ ବର୍ଗୀକରଣକୁ ସହମତି ଦେଇଥିଲେ । ଜଷ୍ଟିସ୍ ବିଲା ତ୍ରିବେଦୀ ଏହାକୁ ଅସହମତି ପ୍ରକାଶ କରିଥିଲେ । ଏହା ସହିତ ଅଦାଲତ ନିଜର ଏକ ଫଇସଲାକୁ ବଦଳାଇଛନ୍ତି । ୨୦୦୪ ମସିହାର ଈବି ଚିନ୍ନ୍ୟାୟ ମାମଲାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି । ସେଥିରେ କୋର୍ଟ କହିଥିଲେ, ଉପ-ବର୍ଗୀକରଣ ଅନୁମତି ମିଳିବ ନାହିଁ, କାରଣ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି ଏକ ସମାନ ଜାତୀୟ ବର୍ଗ ତିଆରି କରୁଛନ୍ତି ।

ସୂଚନା ଅନୁଯାୟୀ, ଏହି ମାମଲାକୁ ୨୦୨୦ରେ ପାଞ୍ଚ ଜଣିଆ ଖଣ୍ଡପୀଠ ୭ଜଣିଆ ବେଞ୍ଚକୁ ପଠାଇଥିଲେ । ଯେଉଁଥିରେ କୁହାଯାଇଥିଲା, ୨୦୦୪ ମସିହାର ଈବି ଚିନ୍ନ୍ୟାୟ ମାମଲାରେ ପୁର୍ନବିଚାର କରିବାର ଆବଶ୍ୟକତା ରହିଛି । ୧୯୭୫ରେ  ପଞ୍ଜାବ ସରକାର ସଂରକ୍ଷିତ ସିଟକୁ ଦୁଇଟି ଶ୍ରେଣୀରେ ଭାଗ କରି ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ନୀତି ପାରିତ କରିଥିଲେ । ବାଲ୍ମିକୀ ଏବଂ ମଜହବୀ ଶିଖଙ୍କ ପାଇଁ  ଏବଂ   ବାକି ଅନ୍ୟ ଅନୁସୂଚୀତ ଜାତି ପାଇଁ ଏହି ନିୟମ ୩୦ ବପର୍ଷ ପର୍ଯ୍ୟନ୍ତ ଚାଲିଲା । ଏହା ପରେ ୨୦୦୬ରେ ଏହି ମାମଲା ପଞ୍ଜବ-ହରିୟାଣା ହାଇକୋର୍ଟରେ ପହଞ୍ଚିଲା  । ସେହିପରି ଅନ୍ୟ ଏକ ମାମଲା ଈବୀ ଚିନ୍ନ୍ୟାୟା ବନାମ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା । ସର୍ବୋଚ୍ଚ ଅଦାଲତ ୨୦୦୪ରେ ଏହା ବିରୋଧରେ ରାୟ ଶୁଣାଇଲେ ଏବଂ ଏହା ପଞ୍ଜାବ ସରକାରଙ୍କୁ ଝଟକା ଲାଗିଲା । ଫଳରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଭିତରେ ବର୍ଗୀକରଣ ନୀତିତୁ ରଦ୍ଦ କରିଦେଲେ । ଏବେ ସୁପ୍ରିମକୋର୍ଟ ପୁଣି ଥରେ ତାଙ୍କ ନିଜ ଫଇସଲାକୁ ପରିବର୍ତ୍ତନ କରିଛନ୍ତି । ଏସସି-ଏସଟି ମଧ୍ୟରେ ବର୍ଗୀକରଣ କରି ସବ୍-କାଟେଗୋରୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।...

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.