ହଲଦ୍ୱାନୀରେ ଚାଲିବନି ବୁଲ୍ଡୋଜର, ସୁପ୍ରିମକୋର୍ଟଙ୍କ ରୋକ, ୫୦ ହଜାର ଲୋକ ଆଶ୍ୱସ୍ତ

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ ୫।୧: ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ହଲଦ୍ୱାନୀରେ ପାଖାପାଖି ୫୦ ହଜାର ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ସେହି ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଯେଉଁଥିରେ ୭ ଦିନ ମଧ୍ୟରେ ରେଳବାଇ ଭୂମିରୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ୭ ଦିନରେ ଜବରଦଖଲ ହଟାଇବା ଓ ବୁଲ୍ଡୋଜର ଚଳାଇବାର ନିଷ୍ପତ୍ତି ଉଚିତ ନୁହେଁ ବୋଲି କହିଛନ୍ତି।

ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୟ କୌଲ ମାମଲାକୁ ମନବୀକତା ଦୃଷ୍ଟିରେ ଦେଖାଯିବା ଉଚିତ ବୋଲି କହିବା ସହିତ  ଏହା ସମାଧାନଯୋଗ୍ୟ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହଲଦ୍ୱାନୀରେ ୪ହଜାର ୪୦୦ରୁ ଅଧିକ ପରିବାର ରେଳବାଇ ଜମି ଜବରଦଖଲ କରି ବସବାସ କରୁଛନ୍ତି। ଏହିମାମଲାରେ ହାଇକୋର୍ଟ ଡିସେମ୍ବର ୨୦୨୨ରେ ରେଳବାଇଙ୍କୁ ଜବରଦଖଲ ହଟାଇବାକୁ ଆଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ଆଦେଶ ପରେ ଏହି ସବୁ ଘରେ ରହୁଥିବା ୫୦ ହଜାର ଲୋକଙ୍କ ଛାତ ଲାଗି ବିପଦ ସୃଷ୍ଟି ହୋଇଥିଲା। ତେବେ କୋର୍ଟଙ୍କ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଲୋକଙ୍କୁ ଆଶ୍ୱସ୍ତି ମିଳିଛି।

ଡିସେମ୍ବର ୨୦ ତାରିଖ ଦିନ ଉତ୍ତରାଖଣ୍ଡ ହାଇକୋର୍ଟ ଏକ ସପ୍ତାହର ନୋଟିସ ଦେଇ ଭୂମି ଜବରଦଖଲକାରୀଙ୍କ କବଳରୁ ତତ୍କାଳ ଜବରଦଖଲ ମୁକ୍ତ କରିବାକୁ ରେଳବାଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ରେଳବାଇ ପ୍ରଶାସନ ନୋଟିସ୍ ପଠାଇବା ଲାଗି ପ୍ରସ୍ତୁତିରେ ଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ମାମଲାରେ ହାଇକୋର୍ଟଙ୍କ ଆଦେଶ ବିରୋଧରେ କଂଗ୍ରେସ ବିଧାୟକ ସୁମିତ ହ୍ରଦୟେଶ ଙ୍କ ନେତୃତ୍ୱେ ଅଞ୍ଚଳରେ ରହୁଥିବା ଲୋକେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହା ପରେ ବରିଷ୍ଠ ଅଧିବକ୍ତା ପ୍ରଶାନ୍ତ ଭୂଷଣ ମଧ୍ୟ ଏକ ପିଟିସନ ଦାଖଲ କରିଛନ୍ତି। ସବୁ ଆବେଦନ ଉପରେ ସୁପ୍ରିମକୋର୍ଟ ଏକତ୍ର ଶୁଣାଣି କରିବେ।

ନୈନିତାଲ ଜିଲ୍ଲା ଅଧିକାରୀଙ୍କ ଅନୁସାରେ କ୍ଷେତ୍ରରେ ମୋଟ ୪,୩୬୫ ଜବରଦଖଲ ହଟିବ। ରେଳବାଇ ପକ୍ଷରୁ ୨.୨ କିଲୋମିଟର ଦୀର୍ଘ ରେଳ ଧାରଣାର ଉଭୟ ପାର୍ଶ୍ୱରେ ନିର୍ମିତ ଘର ଓ ଭିତ୍ତିଭୂମି ଭାଙ୍ଗିବା ଆରମ୍ଭ କରିଦିଆଯାଇଛି। ସୂତ୍ରାନୁସାରେ ଯେଉଁ ସ୍ଥାନରୁ ଜବରଦଖଲ ହଟିବ ସେଠାରେ ପାଖାପାଖି ୨୦ଟି ମସଜିଦ୍, ୯ଟି ମନ୍ଦିର ଓ ସ୍କୁଲ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.