ନୂଆଦିଲ୍ଲୀ ୮।୧୨: ସୁପ୍ରିମକୋର୍ଟ ଜଜ୍ଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିବାଦ କ୍ରମଶଃ ବଢୁଛି। କୋର୍ଟ ଆଟର୍ଣ୍ଣି ଜେନେରାଲ (ଏଜି) ଆର.ଭେଙ୍କଟରମଣୀଙ୍କୁ କଲୋଜିୟମ ବ୍ୟବସ୍ଥାର ସାର୍ବଜନିକ ଆଲୋଚନା ନ କରିବା ଲାଗି ମନ୍ତ୍ରୀମାନଙ୍କୁ ବୁଝେଇବା ନିମନ୍ତେ ଗୁରୁବାର ପରାମର୍ଶ ଦେଇଛନ୍ତି।କୋର୍ଟ ଏଜିଙ୍କୁ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀମାନେ କଲେଜିୟମ ବିରୁଦ୍ଧରେ ଯେଉଁ ବୟାନ ଦେଉଛନ୍ତି ଏଥିରୁ ଭଲ ବାର୍ତ୍ତା ଯାଉନାହିଁ। କେବଳ ଏତିକି ନୁହେଁ ଜଜ୍ ମାନଙ୍କ ନାମ ସୁପାରିସ କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
କୋର୍ଟ କହିଛନ୍ତି ଯେ ସରକାର ଜଜ୍ମାନଙ୍କ ନିଯୁକ୍ତି ଲାଗି ଥିବା କଲେଜିୟମ ବ୍ୟବସ୍ଥାର ପାଳନ କରିବା ଦରକାର। ଏହା ଆଇନଗତ ଓ ଏହା ବିରୋଧରେ ଯିବା ଉଚିତ ନୁହେଁ । ପୀଠ ଏଜିଙ୍କୁ କହିଛନ୍ତି ଯେ ଆଇନର ପାଳନ ଲାଗି ସରକାରଙ୍କୁ ପରାମର୍ଶ ଦିଅନ୍ତୁ, ଯାହାକୁ ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିଛନ୍ତି। ଯଦି ଗୋଟିଏ ବର୍ଗ କୋଲେଜିୟମ ବ୍ୟବସ୍ଥାକୁ ଉଚିତ ମନେ କରୁ ନାହାନ୍ତି ତେବେ ଏହାକୁ ନେଇ ସାର୍ବଜନିକ ସ୍ତରରେ ଏପରି ଟିପ୍ପଣୀ ଦେବା ଉଚିତ ନୁହେଁ କି ଏହା ଦ୍ୱାରା ଆଇନ ବଦଳି ଯିବନି ବୋଲି କୋର୍ଟ କହିଛନ୍ତି।
ପୀଠ କହିଛନ୍ତି ଯେ ସାମ୍ବିଧାନିକ ବେଞ୍ଚଙ୍କ ଆଦେଶରେ ଦେଶରେ କଲେଜିୟମ ବ୍ୟବସ୍ଥା ହୋଇଛି ଓ ଏହା ପାଳନ ହେବା ଦରକାର। କେବଳ ଏତିକି ନୁହେଁ କୋର୍ଟ କଲୋଜିୟମ ବ୍ୟବସ୍ଥାର ତୁଳନା ସଂସଦ ଦ୍ୱାରା ପ୍ରସ୍ତୁତ ଆଇନ ସହ କରିଛନ୍ତି। ବେଞ୍ଚ କହିଛନ୍ତି ଯେ ସମାଜରେ ଏପରି ବର୍ଗ ଅଛନ୍ତି ଯେଉଁମାନେ ସଂସଦ ଦ୍ୱାରା ଗୃହୀତ ଆଇନରେ ସହମତ ନୁହନ୍ତି। ଏଣୁ ଏପରି ଆଇନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେବେକି ବୋଲି ପ୍ରଶ୍ନ କରିଛନ୍ତି।
ପୀଠର ସଦସ୍ୟ ଜଷ୍ଟିସ କୌଲ କହିଛନ୍ତି ଯେ ଯଦି ଦେଶରେ ସମସ୍ତେ ସବୁ ନିଷ୍ପତ୍ତି ନେବେ କେଉଁ ଆଇନ ମାନିବେ କାହାକୁ ମାନିବେନି ତେବେ ଦେଶରେ ବ୍ୟବସ୍ଥା ମଧ୍ୟ ସମାପ୍ତ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ ଗତ ଦିନରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜି୍ଜୁ ସୁପ୍ରିମକୋର୍ଟର କୋଲେଜିୟମ ବ୍ୟବସ୍ଥାକୁ ନେଇ ମନ୍ତବ୍ୟ ଦେଇଥିଲେ। କହିଥିଲେ ଯେ କଲେଜିୟମ ବ୍ୟବସ୍ଥା ନେଇ ସମ୍ବିଧାନରେ କୌଣସି ବର୍ଣ୍ଣନା ନାହିଁ।