ସୁପ୍ରିମକୋର୍ଟରେ ୨୨୮ ପିଆଇଏଲ୍‌ର ଶୁଣାଣି, ବସିବେ ମୋଟ ୧୫ ଖଣ୍ଡପୀଠ

Published By : Prameya-News7 Bureau | September 12, 2022 IST

ନୂଆଦିଲ୍ଲୀ,୧୨/୦୯: ସୁପ୍ରିମକୋର୍ଟରେ ସୋମବାର ୨୨୮ ଜନସ୍ୱାର୍ଥ ମାମଲା(ପିଆଇଏଲ୍‌)ର ଶୁଣାଣି ହେବ । ଏଥିପାଇଁ ମୋଟ ୧୫ଟି ଖଣ୍ଡପୀଠ ବସିବେ । ଭାରତର ୪୯ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ୍‌ ୟୁ ୟୁ ଲଳିତ ଦାୟିତ୍ୱ ନେବା ପରେ ସମସ୍ତ ପିଆଇଏଲ୍‌ର ଦଫାରଫା ଲାଗି ତତ୍ପରତା ପ୍ରକାଶ କରିଛନ୍ତି ।

ସୋମବାରର ଶୁଣାଣି ଅପେକ୍ଷାରେ ଥିବା ୨୨୮ ପିଆଇଏଲ୍‌ ମଧ୍ୟରୁ ୨୦୫ଟି ପ୍ରଧାନ ବିଚାରପତିଙ୍କ କୋର୍ଟରେ ରହିଛି । ଏଥିରୁ ୧୮୯ଟି ପିଆଇଏଲ୍‌ ନାଗରିକତା ସଂଶୋଧନ ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ୍‌ କରାଯାଇ ହୋଇଥିଲା । ଏଗୁଡ଼ିକୁ ଏକତ୍ରିତ କରାଯାଇ ଏକସଙ୍ଗେ ଶୁଣାଣି ହେବ ।

ହାରାହାରି ଭାବେ ଦେଖିଲେ ଗୋଟିଏ ଖଣ୍ଡପୀଠ ଦିନକରେ ୬୦ ମାମଲାର ଶୁଣାଣି କରିଥାନ୍ତି । ଏଗୁଡ଼ିକ ମଧ୍ୟରୁ କିଛି ପିଟିସନ୍‌କୁ ଏକତ୍ରିତ କରାଯାଇ ଗୋଟିଏ ମାମଲାରେ ପରିଣତ କରାଯାଇଥାଏ । ୨୭୦ ମିନିଟ୍‌ରେ ଏଗୁଡ଼ିକର ଶୁଣାଣି ହୋଇଥାଏ । ପିଆଇଏଲ୍‌ଗୁଡ଼ିକର ସର୍ବାଧିକ ଅଂଶ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ଯାଇଥାଏ । ଗତ ୧୫ ଦିନ ମଧ୍ୟରେ ଏହି ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ସେପ୍ଟେମ୍ବର ୫ରେ ମୋଟ ୭୬ଟି ପିଆଇଏଲ୍‌ ବିଭିନ୍ନ ଖଣ୍ଡପୀଠରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା । ତନ୍ମଧ୍ୟରୁ ୩୨ଟି କେବଳ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ରହିଥିଲା ।

ସେପ୍ଟେମ୍ବର ୫ରୁ ୯ ମଧ୍ୟରେ ମୋଟ ୧୫୨ଟି ପିଆଇଏଲ୍‌ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା । ଏଥିରୁ ୫୧ଟି ପିଆଇଏଲ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଲଳିତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଅଧୀନରେ ଥିଲା । ସୁପ୍ରିମକୋର୍ଟରେ ଅନେକ ମାମଲା ବିଚାରାଧୀନ ଥିଲା ବେଳେ ପିଆଇଏଲ୍‌ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ସାଜିଛି । ତେଣୁ ଏଗୁଡ଼ିକର ପ୍ରଥମେ ଦଫାରଫା ପାଇଁ ଜଷ୍ଟିସ୍‌ ଲଳିତ ତତ୍ପରତା ପ୍ରକାଶ କରିଛନ୍ତି ।

ସିଏଏ ବିରୋଧରେ ଇଣ୍ଡିଆନ୍‌ ୟୁନିଅନ୍‌ ଅଫ୍‌ ମୁସ୍‌ଲିମ୍‌ ଲିଗ୍‌ ଦ୍ୱାରା ସୁପ୍ରିମକୋର୍ଟରେ ଏକ ପିଆଇଏଲ୍‌ ହୋଇଥିଲା । କଂଗ୍ରେସ ନେତା ଜୟରାମ ରମେଶଙ୍କ ଦ୍ୱାରା ମଧ୍ୟ ଏ ନେଇ ଏକ ପିଆଇଏଲ୍‌ ଦାଖଲ କରାଯାଇଥିଲା । ଏହାଛଡ଼ା ଆର୍‌ଜେଡି ନେତା ମନୋଜ ଝା, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ଏବଂ ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ୍‌ ଓୱେସିଙ୍କ ଦ୍ୱାରା ବି ପିଆଇଏଲ୍‌ ହୋଇଥିଲା । ‘ୱି ଦ ୱିମେନ ଅଫ୍‌ ଇଣ୍ଡିଆ’ ନାମକ ସଂଗଠନ ଦ୍ୱାରା ହୋଇଥିବା ଏକ ପିଆଇଏଲ୍‌ରେ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ ଅଧୀନରେ ପୀଡ଼ିତା ମହିଳାଙ୍କ ନିମନ୍ତେ ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି ଲାଗି ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.