ରାଜନୀତିକୁ ଓହ୍ଲାଇବେ କି ସୁପର ଷ୍ଟାର୍ ରଜନୀକାନ୍ତ; ରାଜ୍ୟପାଳଙ୍କୁ ଭେଟିବା ପରେ ପୁଣି ଜୋର୍‌ ଧରିଲା ଚର୍ଚ୍ଚା, ମିଡିଆ ପ୍ରଶ୍ନରେ ଉତ୍ତର ଦେଇ ଏମିତି କହିଲେ ଅଭିନେତା

Published By : Prameya-News7 Bureau | August 08, 2022 IST

ଚେନ୍ନାଇ: ରାଜନୀତିକୁ ଓହ୍ଲାଇବେ କି ସାଉଥ୍ ସୁପର ଷ୍ଟାର ତଥା ଷ୍ଟାଇଲ୍‌ ମାଷ୍ଟର ରଜନୀ କାନ୍ତ? ସୋମବାର(ଅଗଷ୍ଟ ୮) ରଜନୀକାନ୍ତ ତାମିଲନାଡୁ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ମିଡିଆରେ ମଧ୍ୟ ଏନେଇ ଖବର ପ୍ରକାଶ ପାଉଛି।

ତେବେ ଦୁଇ ବର୍ଷ ପୂର୍ବେ ରଜନୀକାନ୍ତ ରାଜନୀତିକୁ ଓହ୍ଲାଇବେ ବୋଲି ଏକପ୍ରକାର ଶୁନିଶ୍ଚିତ ହୋଇଯାଇଥିଲା। ରାଜନୀତି ସିଷ୍ଟମ୍‌ରେ ପୁନଃ ସଂସ୍କାର ଆଣିବା ପାଇଁ ସେ ଏକ ଦଳ ଗଠନ କରିବାକୁ ଯାଉଛନ୍ତି ବୋଲି ତାଙ୍କ ଫ୍ୟାନ୍‌ମାନଙ୍କୁ କହିଥିଲେ। ହେଲେ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ଦେଖାଦେବା ପରେ ସବୁକିଛି ଥମି ଯାଇଥିଲା। ଏବେ ସୋମବାର ରାଜ୍ୟାପାଳଙ୍କୁ ଭେଟିବା ପରେ ରଜନୀଙ୍କ ରାଜନୀତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ତେବେ ରାଜ୍ୟପାଳଙ୍କ ସହ ବୈଠକ ପରେ ଫ୍ୟାନ୍‌ଙ୍କର ଏହି ଉତ୍‌କଣ୍ଠାରେ ଯବନିକା ପକାଇଛନ୍ତି ରଜନୀକାନ୍ତ। ସେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି “ ଏହା କ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଆମେ କୌଣସି ଭଲ କାମ ପାଇଁ ୨୫-୩୦ ମିନିଟ କଥା ହୋଇଥିଲୁ। ଯଦିଓ ସେ(ରାଜ୍ୟପାଳ) ଉତ୍ତର ଭାରତରେ ରୁହନ୍ତି, ତେବେ ତାମିଲ ଲୋକଙ୍କର ସଚ୍ଚୋଟତା ଓ ପରିଶ୍ରମକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି।”  

ତେବେ ରାଜନୀତି ସମ୍ପର୍କରେ ଆଲୋଚନା ହେଲା କି ବୋଲି ପ୍ରଶ୍ନରେ ଉତ୍ତର ଦେଇ ରଜନୀକାନ୍ତ କହିଛନ୍ତି ଯେ ସେମାନେ ରାଜନୀତି ବିଷୟରେ ଅନେକ ଆଲୋଚନା କଲେ। ତେବେ ଏସବୁ ଗଣମାଧ୍ୟମ ସାମ୍ନାରେ କହି ପାରିବି ନାହିଁ ବୋଲି କହିବା ସହ କ୍ଷମା ମାଗିଛନ୍ତି ରଜନୀକାନ୍ତ।  

ଏହାପରେ ତାଙ୍କର ରାଜନୀତିରେ ପ୍ରବେଶ ନେଇ ପ୍ରଶ୍ନ କରିଥିଲେ ମିଡିଆ କର୍ମୀ। ହେଲେ ସେ ରୋକ୍‌ଠୋକ୍ ମନା କରିଦେଇଥିଲେ। ଏବଂ ତା ସହିତ କ୍ଷୀର, ଦହି ଭଳି ଖାଦ୍ୟ ସାମଗ୍ରୀରେ ଜିଏସ୍‌ଟି ଲାଗିବା ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ରଜନୀକାନ୍ତ ଏହାର ଉତ୍ତର ଦେବାକୁ ମନା କରିଦେଇଥିଲେ।  

ତେବେ ସିନେମା ବିଷୟରେ ପଚାରିବାରୁ ସେ ମିଡିଆକୁ ନିରାଶ କରିନଥିଲେ। ଅଗଷ୍ଟ ୧୫ କିମ୍ବା ୨୨ ତାରିଖରୁ ସେ ଆଉ ଏକ ସିନେମାର ଶୁଟିଂ ଆରମ୍ଭ କରିବେ ବୋଲି ରଜନୀକାନ୍ତ କହିଛନ୍ତି। ସୂଚନା ଥାଉକି, ରଜନୀକାନ୍ତ ପରବର୍ତ୍ତୀ ଫିଲ୍ମ ‘ଜେଲର’ରେ ନଜର ଆସିବେ। ଏହାକୁ ନେଲସନ ଦିଲ୍ଲିପକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ସନ ପିକ୍‌ଚର୍ସ ଏହାର ପ୍ରଯୋଜନା କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.