୩୬ ରନ୍‌ରେ ହାରି ବିଦା ହେଲା ରାଜସ୍ଥାନ: ଫାଇନାଲ୍‌ରେ ହାଇଦ୍ରାବାଦ ଓ କୋଲକାତା ଫାଇଟ୍‌

Published By : Prameya-News7 Bureau | May 24, 2024 IST

X

ଚେନ୍ନାଇ: ଆଇପିଏଲ୍‌ ୨୦୨୪ରୁ ବିଦା ହେଲା ରାଜସ୍ଥାନ ରୟାଲ୍ସ। କ୍ୱାଲିଫାୟର ୨ ମୁକାବିଲାରେ ଦଳ ହାଇଦ୍ରାବାଦ ଠାରୁ ୩୬ ରନ୍‌ରେ ପରାଜିତ ହୋଇଛି। ହାଇଦ୍ରାବାଦର ୧୭୬ ରନ୍‌ ଟାର୍ଗେଟକୁ ପିଛା କରି ରାଜସ୍ଥାନ ମାତ୍ର ୧୩୯ ରନ୍ କରିପାରିଥିଲା। ଦଳ ପକ୍ଷରୁ ଧ୍ରୁବ ଜୁରେଲ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଜଶସ୍ୱୀ ଜୟସ୍ୱାଲ ୪୨ ରନ୍ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଶାହାବାଜ ଅହମଦ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ଶର୍ମା ଦୁଇଟି ୱିକେଟ୍ ନେଇଛନ୍ତି। 

ଶୁକ୍ରବାର ଦ୍ୱିତୀୟ କ୍ୱାଲିଫାୟର ରାଉଣ୍ଡରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ହାଇଦ୍ରାବାଦ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଦଳର ଷ୍ଟାର ବ୍ୟାଟରମାନେ ବିଫଳ ହୋଇଥିଲେ। ତେବେ କ୍ଲାସେନ୍‌ଙ୍କ ଅର୍ଦ୍ଧଶତକ, ରାହୁଲ ତ୍ରିପାଠୀଙ୍କ ୩୭ ଓ ରନ୍ ଟ୍ରାଭିସ୍ ହେଡ୍‌ଙ୍କ ୩୪ ରନ୍ ବଳରେ ଦଳ ୮ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। 

୧୭୬ ରନ୍‌ର ଟାର୍ଗେଟ୍‌କୁ ପିଛ କରି ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ଆରମ୍ଭରୁ ସ୍ଲୋ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମ ପାୱାର ପ୍ଲେର ହାଇଦ୍ରାବାଦର ଖେଳାଳି ଏକଦମ ରନ୍ ଚାପି ଦେଇଥିଲେ। ୪ ଓଭରର ଶେଷ ବଲ୍‌ରେ ଟମ କୋହ୍ଲେର କାଡମୋରଙ୍କ ନାମରେ ଦଳର ପ୍ରଥମ ୱିକେଟ୍ ଯାଇଥିଲା। ଜଶସ୍ୱୀ ଜୟସ୍ୱାଲ ରକ୍ଷଣଶୀଳ ବ୍ୟାଟିଂ କରି ୪୨ ରନ୍‌ର ବଡ଼ ଯୋଗଦାନ ଦେଇଥିଲେ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନଥିଲେ। ତେବେ ଧ୍ରୁବ୍ ଜୁରେଲ ବଡ଼ ବଡ଼ ଶଟ୍ ଖେଳି ଟିମ୍‌କୁ ମ୍ୟାଚ୍ ଜିତାଇବାକୁ ଚେଷ୍ଟା କରିଥିଲେ ବି ରାଜସ୍ଥାନ ୩୬ ରନ୍‌ରେ ହାରିଯାଇ ଆଇପିଏଲ୍‌ ୨୦୨୪ରୁ ବିଦାୟ ନେଇଛି। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ୱିକେଟ୍ ବିନିମୟରେ ୧୩୯ ରନ୍ କରିପାରିଥିଲା। ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ (୪୨), ଟମ୍‌ କୋହଲର (୧୦), ସଞ୍ଜୁ ସାମସନ (୧୦), ରିୟାନ ପରାଗ (୬), ଶିମରନ ହେଟମାୟର (୪), ରୋଭମାନ ପାୱେଲ (୬) ଧ୍ରୁବ ଜୁରେଲ (୫୬*) ରନ୍ କରିଥିଲେ।

ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଶାହାବାଜ ଅହମଦ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ଶର୍ମା ଦୁଇଟି ୱିକେଟ୍ ନେଇଥିଲେ। ସେହିପରି ପାଟ୍ କମିନ୍ସ ଓ ଟି ନଟରାଜନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଆଇପିଏଲ୍ ୨୦୨୪ର ଫାଇନାଲ୍ ମ୍ୟାଚ୍‌ ୨୫ ତାରିଖରେ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯିବ। କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ ଫାଇନାଲ୍ ମୁକାବିଲା ହେବ।  

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.