ଆଇପିଏଲ୍ ମହାସମରର ଦ୍ବିତୀୟ କ୍ବାଲିଫାୟର; ସଂଧ୍ୟାରେ ଏସଆରଏଚ୍-ଆରଆର ସଂଘର୍ଷ

Published By : Prameya-News7 Bureau | May 24, 2024 IST

ଚେନ୍ନାଇ: ଆଇପିଏଲ ମହାସମରରେ ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍ । ସଂଧ୍ୟାରେ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ସନ୍ ରାଇଜର୍ସ ହାଇଦ୍ରବାଦ ଓ ରାଜସ୍ଥାନ ରୟାଲ୍ସ । ଆଜିର ବିଜେତା ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବେ । ଶେଷ ସୁଯୋଗକୁ କୌଣସି ଦଳ ହାତଛଡ଼ା କରିବାକୁ ଚାହଁନାନ୍ତି । ଆଜିର ମୁକାବିଲାରେ ଉଭୟ ଦଳ ସମସ୍ତ ଶକ୍ତି ପ୍ରଦର୍ଶନ କରିବେ । ତେଣୁ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଇଛି । 

ସନ ରାଇଜର୍ସ ହାଇଦ୍ରାବାଦ ଟିମ୍ ପ୍ରଥମ କ୍ବାଲିଫାୟର ମ୍ୟାଚରେ ପରାସ୍ତ ହୋଇଥିଲା । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଏଲିମିନେଟର ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ମାତ୍ ଦେଇ ବିଜୟଧାରାକୁ ଫେରିଛି । ତେବେ ଚିପକ୍ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚରେ ହାଇଦ୍ରାବାଦ ବ୍ୟାଟର ଏବଂ ରାଜସ୍ଥାନର ବୋଲରଙ୍କ ମଧ୍ୟରେ ଲଢ଼େଇ ହେବ । ଦୁର୍ଦ୍ଧର୍ଷ ଓପନର ଟ୍ରେଭିସ୍ ହେଡ୍ ଓ ଅଭିଷେକ ଶର୍ମା ଯୋଡ଼ିକୁ ଅଟକାଇବେ ରାଜସ୍ଥାନର ଟେଣ୍ଟ ବୋଲ୍ଟ ଓ ସନ୍ଦୀପ ଶର୍ମାଙ୍କ ଯୋଡ଼ି । 

 ଟ୍ରେଭିସ୍ ହେଡ୍ ଓ ଅଭିଷେକ ଶର୍ମା ଯୋଡ଼ି ଓଭର ପିଛା ୧୩.୬୫ ହାରରେ ରନ ସଂଗ୍ରହ କରି ଆଇପିଏଲ ଇତିହାସରେ ବିସ୍ଫୋରକ ବ୍ୟାଟିଂର ପ୍ରମାଣ ଦେଇଛନ୍ତି । ଉଭୟ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ଚଳିତ ଆଇପିଏଲରେ ଏକମାତ୍ର ଟିମ୍ ଭାବେ ପାଓ୍ବାର ପ୍ଲେ’ରେ ଦୁଇ ଥର ୧୦୦ ରନ ସଂଗ୍ରହ କରିଛନ୍ତି । ସେପଟେ ରାଜସ୍ଥାନ ରୟାଲ୍ସ ସେପରି ବ୍ୟାଟିଂ କରିନଥିଲେ ମଧ୍ୟ ଚଳିତ ସିଜିନରେ ସନ୍ତୁଳିତ ଦଳ ଭାବେ ପ୍ରମାଣିତ ହୋଇଛି । ପ୍ରତିପକ୍ଷ ଟିମକୁ ହରାଇବା ପାଇଁ ଦଳ ବୋଲିଂ ବିଭାଗ ଯଥେଷ୍ଟ ଭଲ ପ୍ରଦର୍ଶନ କରୁଛି । ଟେଣ୍ଟ ବୋଲ୍ଟଙ୍କ ସୁଇଂ ଏବଂ ରବି ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲଙ୍କ ବୋଲିଂରେ ଘାଇଲା ହେଉଛନ୍ତି ବିପକ୍ଷ ଟିମ୍ । 

ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ଥରେ ମାତ୍ର ଭେଟିଥିଲେ । ସେହି ମୁକାବିଲାରେ  ସନ୍ ରାଇଜର୍ସ ହାଇଦ୍ରାବାଦ ୧ ରନରେ ମ୍ୟାଚକୁ ଜିତି ନେଇଥିଲା । ଆଇପିଏଲ ଇତିହାସ ଉପରେ ନଜର ପକାଇଲେ ଉଭୟ ଟିମ୍ ବର୍ତ୍ତମାନ ସୁଦ୍ଧା ୧୯ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ହାଇଦ୍ରାବାଦ ୧୦ଥର ବିଜୟୀ ହୋଇଥିବା ବେଳେ ରାଜସ୍ଥାନ ୯ଥର ଜିତିଛି । ସନ୍ ରାଇଜର୍ସର ପ୍ଲେ-ଅଫ ରେକର୍ଡକୁ ଦେଖିଲେ, ଦଳ ୧୨ଟି ମ୍ୟାଚ୍ ଖେଳିଛି । ଏଥିରେ ୫ମ୍ୟାଚରେ ବିଜୟୀ ହୋଇଛି ଏବଂ ୭ଟି ମ୍ୟାଚ୍ ଦଳ ବିପକ୍ଷରେ ରେଜଲ୍ଟ ଯାଇଛି । ସେହିପରି ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫ ରେକର୍ଡ ଉପରେ ନଜର ପକାଇଲେ । ଆରଆର ଟିମ୍ ମୋଟ୍ ୧୦ଟି ମ୍ୟାଚ୍ ଖେଳିଛି । ଏଥିରୁ ୫ଟିରେ ପରାସ୍ତ ହୋଇଛି ୫ଟି ମ୍ୟାଚରେ ବିଜୟୀ ହୋଇଛି । 

ଏପଟେ ପିଚ୍ ରିପୋର୍ଟ ଦେଖିଲେ, ଚେନ୍ନାଇ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଫଳରେ ଶୁଷ୍କ ଚିପକ୍ ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଉଛି । ମାତ୍ର ପ୍ରାରମ୍ଭରୁ ସତର୍କତା ଅବଲମ୍ବନ କରି ଖେଳିଲେ ଭଉୟ ଟିମ୍ ବଡ଼ ସ୍କୋର କରପାରିବେ । ଏଠାରେ ସେକେଣ୍ଡ ଇନିଂସରେ ମୋଟ୍ ଶେଷ ୭ଟି ମ୍ୟାଚରୁ ୫ଟିରେ ବିଜୟ ମିଳିଛି । ତେଣୁ ଆଜିରେ ମ୍ୟାଚରେ ଟସ୍ ବଡ଼ ଫ୍ୟାକ୍ଟର ହେବ ବୋଲି କୁହାଯାଉଛି । ଟସ୍ ଜିତିବା ଟିମ୍ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା ଅଧିକ ରହିଛି ।     

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.