ଦ୍ୱିତୀୟ କ୍ୱାଲିଫାୟର: କ୍ଲାସେନ୍‌ଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନକୁ ୧୭୬ ରନ୍ ଟାର୍ଗେଟ୍ ଦେଲା ହାଇଦ୍ରାବାଦ

Published By : Prameya-News7 Bureau | May 24, 2024 IST

X

ଚେନ୍ନାଇ: ସନ୍‌ରାଇଜର ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଖେଳାଯାଇଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୫ ରନ୍ କରିଛି। ମ୍ୟାଚ୍ ଜିତିବାକୁ ହେଲେ ରାଜସ୍ଥାନକୁ ୧୭୬ ରନ୍ କରିବାକୁ ହେବ। 

ହାଇଦ୍ରାବାଦ ପକ୍ଷରୁ ହେନ୍‌ରିକ କ୍ଲାସେନ୍ ସର୍ବାଧିକ ୫୦ ରନ୍ କରିଥିବା ବେଳେ ରାହୁଲ ତ୍ରିପାଠୀ ୩୭ ଓ ଟ୍ରାଭିସ୍ ହେଡ୍ ୩୪ ରନ୍ କରିଛନ୍ତି। ସେହିପରି ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ଅଭେଶ ଖାନ୍‌ ସର୍ବାଧିକ ୩ ଲେଖାଏ ୱିକେଟ୍ ନେଇଛନ୍ତି। 

ଚିଳତ ବର୍ଷ ଆଇପିଏଲ୍‌ରେ ବଡ଼ ବଡ଼ ସ୍କୋର କରି ରେକର୍ଡ କରୁଥିବା ହାଇଦ୍ରାବାଦ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ବିପକ୍ଷରେ ଆଜି ଦୁର୍ବଳ ପ୍ରଦର୍ଶନ କରିଛି। ଦଳ ପକ୍ଷରୁ ଟ୍ରାଭିସ୍‌ ହେଡ୍‌ଙ୍କ ଓପନିଂ କରିବାକୁ ଆସିଥିଲେ ଅଭିଷେକ ଶର୍ମା(୫ ବଲ୍ ୧୨ ରନ୍)। ଓପନିଂ ବୋଲିଂ ଆସିଥିବା ଟ୍ରେଣ୍ଟ ବୋଲ୍ଟଙ୍କୁ ଛକା ଚୌକା ମାରିଥିଲେ ଅଭିଷେକ। ଲାଗୁଥିଲା ଏଥର ବି ହାଇଦ୍ରାବାଦ ବଡ଼ ସ୍କୋର କରିବ। ହେଲେ ବୋଲ୍ଟଙ୍କ ଶେଷ ବଲ୍‌ରେ ସବୁ ବିଗିଡ଼ି ଗଲା। ଭଲ ଶଟ୍‌ ଖେଳି କ୍ୟାଚ୍ ଆଉଟ୍ ହୋଇଥିଲେ ଶର୍ମା। ଫଳରେ ଦଳ ମାତ୍ର ୧୩ ରନ୍‌ରେ ପ୍ରଥମ ମୂଲ୍ୟବାନ ୱିକେଟ୍ ହରାଇଥିଲା। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ତ୍ରିପାଠୀ ଶୋ ଚାଲୁ ରଖିଥିଲେ। ବଡ଼ ବଡ଼ ଶଟ୍ ଖେଳି ରନ୍ ଗତି ଆଗକୁ ନେଉଥିଲେ। ସେପଟେ ଟ୍ରାଭିସ୍ ହେଡ୍ ରକ୍ଷଣଶୀଳ ଭାବେ ଖେଳ ପ୍ରଦର୍ଶନ କରୁଥିଲେ। 

ଚତୁର୍ଥ ଓଭର ବୋଲିଂ କରିବାକୁ ଆସିଥିବା ଟ୍ରେଣ୍ଟ ବୋଲ୍ଟ ପୁଣିଥରେ ହାଇଦ୍ରାବାଦ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ସେ ଏଥର ଦୁଇଟି ୱିକେଟ୍ ନେଇଥିଲେ। ୪.୩ ଓଭରରେ ଦଳୀୟ ସ୍କୋର ୫୫ ବେଳେ ରାହୁଲ ତ୍ରିପାଠୀ(୧୫ ବଲ୍‌ ୩୭ ରନ୍)ଙ୍କ ୱିକେଟ୍ ନେଇଥିବା ବେଳେ ଶେଷ ବଲ୍‌ରେ ଆଡେନ ମାର୍‌କ୍ରମ(୧)ଙ୍କୁ ଆଉଟ୍ କରିଥିଲେ। ଦଳକୁ ସମ୍ଭାଳିବା ଚକ୍କରେ ରକ୍ଷଣଶୀଳ ବ୍ୟାଟିଂ କରୁଥିବା ଘାତକ ବ୍ୟାଟର ଟ୍ରାଭିସ୍ ହେଡ୍‌ ୨୮ ବଲ୍‌ରେ ମାତ୍ର ୩୪ କରି ଆଉଟ୍ ହୋଇଥିଲେ। ଏହାପରେ ଅବଦୁଲ ଶମାଦ ଖାତା ନ କୋଲି ଆଉଟ୍ ହେବା ପରେ ହେନ୍‌ରିକ କ୍ଲାସେନ୍‌ କିନ୍ତୁ ଧୂଆଁଦାର ବ୍ୟାଟିଂ ଜାରି ରଖିଥିଲେ।

ଏହାପରେ ୧୮.୨ ଓଭରରେ କ୍ଲାସେନ୍‌ଙ୍କ ୱିକେଟ୍ ଯାଇଥିଲା। ସେ ୩୪ ବଲ୍‌ରେ ସର୍ବାଧିକ ୫୦ ରନ୍ କରିଥିଲେ। ଯେଉଁଥିରେ ୪ଟି ଛକ୍କା ରହିଥିଲା। ହାଇଦ୍ରାବାଦର ଶାହବାଜ ଅହମଦ(୧୮),ନୀତୀଶ ରେଡ୍ଡି(୫),ପାଟ କମିନ୍ସ ଓ ଜୟଦେଭ ଉନାଦକଡ ୫ ରନ୍ ଲେଖାଏ କରିଥିଲେ। ଫଳରେ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। 

ଅନ୍ୟପଟେ ରାଜସ୍ଥାନ ଆରମ୍ଭରୁ ଭଲ ବୋଲିଂ କରିଥିଲା। ଟ୍ରେଣ୍ଟ ବୋଲ୍ଟ ହାଇଦ୍ରାବାଦର କମର ଭାଙ୍ଗି ଦେଇଥିଲେ। ସେ ଏକାକୀ ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ ଆଡେନ ମାର୍‌କ୍ରମଙ୍କ ୱିକେଟ୍ ନେଇ ଦଳକୁ ଦୁର୍ବଳ କରି ଦେଇଥିଲେ। ଏହାପରେ ଅଭେଷ ଖାନ୍ ମଧ୍ୟ ୩ଟି ୱିକେଟ୍ ନେଇଥିଲେ। ତେବେ ଦଳର ଦୁଇ ବରିଷ୍ଠ ଓ ଅଭିଜ୍ଞ ବୋଲର ୟୁଜବେନ୍ଦର ଚହଲ ଓ ଆର୍ ଅଶ୍ୱିନୀଙ୍କୁ ଗୋଟିଏ ବି ସଫଳତା ମିଳି ନଥିଲା।

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.