ହାଇଦ୍ରାବାଦର ରନର ପାହାଡ଼ରେ ଦବିଗଲା ବେଙ୍ଗାଲୁରୁ, ଚମକିଲେ ଟ୍ରେଭିସ ହେଡ; ସଂଘର୍ଷ କରି ମନ ଜିଣିଲେ କାର୍ତ୍ତିକ

Published By : Prameya-News7 Bureau | April 15, 2024 IST

Aajtak

ବେଙ୍ଗାଲୁରୁ: ସନରାଇଜର୍ସ ହାଇଦ୍ରାବାଦର ରନର ପାହାଡ଼ ତଳେ ଦବିଗଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ମ୍ୟାଚ୍ ହାରିଥିଲେ ମଧ୍ୟ ନିଜର ସମ୍ମାନ ରଖି ପାରିଛି ଆରସିବି। ହାଇଦ୍ରାବାଦର ୨୮୭ ରନର ରେକର୍ଡ ସ୍କୋର ପରେ ବେଙ୍ଗାଲୁରୁ ୭ ଓ୍ଵିକେଟ୍ ହରାଇ ୨୬୨ ରନର ଲଢୁଆ ସ୍କୋର କରି ପାରିଛି। ଏହି ହାଇସ୍କୋରିଂ ମ୍ୟାଚ୍‌କୁ ୨୫ ରନରେ ଜିତି ନେଇଛି ହାଇଦ୍ରାବାଦ। ଆରସିବି ପକ୍ଷରୁ ଦିନେଶ କାର୍ତ୍ତିକ ୩୫ ବଲରୁ ୮୩ ରନର ବିସ୍ଫୋରକ ଇନିଂସ ଖେଳି ସଭିଙ୍କ ମନ ଜିଣିଛନ୍ତି। ତାଙ୍କ ବ୍ୟତୀତ ଅଧିନାୟକ ଫାଫ ଡୁପ୍ଲେସିସ୍ ୨୮ ବଲରୁ ୬୨ ରନ ଓ ବିରାଟ କୋହଲି ୨୦ ବଲରୁ ୪୨ ରନର ଦ୍ରୁତ ଇନିଂସ ଖେଳିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୩ ଓ୍ଵିକେଟ୍‌ରେ ୨୮୭ ରନର ରେକର୍ଡ ସ୍କୋର କରିଥିଲା। ଟ୍ରେଭିସ୍ ହେଡ୍ ୪୧ ବଲରୁ ୧୦୨ ରନର ବିଧ୍ଵଂସୀ ଶତକୀୟ ଇନିଂସ ଖେଳିଥିବା ବେଳେ ହେନରିକ କ୍ଲାସେନ ୩୧ ବଲରୁ ୬୭ ରନର ଧୂଆଁଧାର ବ୍ୟାଟିଂ କରିଥିଲେ। ଆଡନ ମାରକ୍ରମ ୩୨ ଓ ଅବଦୁଲ ସାମଦ ୧୦ ବଲରୁ ୩୭ ରନ କରିଥିଲେ। ଏହି ବିଜୟ ସହ ହାଇଦ୍ରାବାଦ ଷଷ୍ଠ ମ୍ୟାଚ୍‌ରୁ ୪ଟି ଜିତି ୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ବେଙ୍ଗାଲୁରୁ ୭ମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ଭୋଗି ନିମ୍ନରେ ରହିଛି।  

Also read: ଟି-୨୦ ବିଶ୍ୱକପ୍ କ୍ରିକେଟ୍; ଭାରତୀୟ ଟିମ୍‌ରେ ଅନେକ ଦାବିଦାର, ୧୫ ଜଣିଆ ଦଳରେ ଏହି ଖେଳାଳି ସାମିଲ୍ !

୨୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବିକୁ ଦୁଇ ଓପନର ଅଧିନାୟକ ଫାଫ ଡୁପ୍ଲେସିସ୍ ଓ ବିରାଟ କୋହଲି ଦମଦାର ଆରମ୍ଭ ଦେଇଥିଲେ। ଦୁହେଁ ବିସ୍ଫୋରକ ବ୍ୟାଟିଂ କରି ୬.୨ ଓଭରରେ ୮୦ ରନ ଯୋଡ଼ିଥିଲେ। କୋହଲି ୨୦ ବଲରୁ ୬ ଚୌକା ଓ ୨ ଛକା ସହ ୪୦ ରନ କରିଥିଲେ। ମଧ୍ୟକ୍ରମରେ ୩ ଓ୍ଵିକେଟ୍ ଶୀଘ୍ର ହରାଇବାରୁ ଆରସିବି ରନ ଗତି ଧିମେଇ ଯାଇଥିଲା। ଓ୍ଵିଲ ଜ୍ୟାକ୍ସ(୭), ରଜତ ପାଟିଦାର(୯) ଓ ସୌରଭ ଚହ୍ଵାନ(୦) ଆଉଟ୍ ହୋଇଥିଲେ। ତଥାପି ଡୁପ୍ଲେସିସ୍ ଧୂଆଁଧାର ବ୍ୟାଟିଂ କରି ଆଶା ଉଜ୍ଜିବୀତ ରଖିଥିଲେ।  ୧୨୧ ରନ ସ୍କୋରରେ ଡୁପ୍ଲେସିସ୍ ୨୮ ବଲରୁ ୭ ଚୌକା ଓ ୪ ଛକା ଜରିଆରେ ୬୨ ରନ କରି ପାଭିଲିୟନ ଫେରିଥିଲେ। 

ଏହା ପରେ କ୍ରିଜକୁ ଆସିଥିଲେ ଦିନେଶ କାର୍ତ୍ତିକ। ସେ ମହିପାଲ ଲୋମରୋରଙ୍କ ସହ ମିଶି ଦ୍ରୁତ ବ୍ୟାଟିଂ କରି ଷଷ୍ଠ ଓ୍ଵିକେଟ୍ ପାଇଁ ୫୯ ରନ ଯୋଡ଼ିଥିଲେ। ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରି ଆରସିବି ପାଇଁ ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଚଳିତ ସଂସ୍କରଣରେ ନିଜର ଫର୍ମ ବଜାୟ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷରେ କାର୍ତ୍ତିକ ୩୫ ବଲରୁ ୫ ଚୌକା ଓ ୭ ଛକା ସହ ୮୩ ରନର ଇନିଂସ ଖେଳି ସଭିଙ୍କ ହୃଦୟ ଜିତିଥିଲେ। ଶେଷରେ ଅଞ୍ଜୁ ରାଓ୍ଵତ ୨୫ ରନ କରି ଅପରାଜିତ ଥିଲେ। ୨୫ ରନରେ ମ୍ୟାଚ୍ ହାରିଥିଲେ ମଧ୍ୟ ବେଙ୍ଗାଲୁରୁ ନିଜ ଘରୋଇ ମାଟିରେ ୭ ଓ୍ଵିକେଟ୍ ହରାଇ ୨୬୨ ରନ କରିବା ସହ ସମ୍ମାନ ରଖି ପାରିଛି। 

ହାଇଦ୍ରାବାଦ ପକ୍ଷରୁ ସଫଳ ବୋଲର ଭାବେ ଅଧିନାୟକ ପାଟ୍ କମିନ୍ସ ୪୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମୟଙ୍କ ମାର୍କଣ୍ଡେ ୪୬ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଥିଲେ। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.