କର୍ଣ୍ଣାଟକରେ କଂଗ୍ରେସ୍କୁ ଜିତାଇଥିବା ସୁନୀଲ କାନୁଗୋଲୁଙ୍କୁ ମିଳିଲା ପୁରସ୍କାର, ଦିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
1/06/2023 at 7:50 PM

ବେଙ୍ଗାଲୁରୁ ୧।୬: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଶାଳ ବିଜୟ ପ୍ରଦାନ କରିଥିବା ନିର୍ବାଚନ ରଣନୀତିକାର ସୁନୀଲ କାନୁଗୋଲୁଙ୍କୁ ପାର୍ଟି ପୁରସ୍କୃତ କରିଛି। ସୁନୀଲଙ୍କୁ ମୁଖ୍ୟମନ୍ତ୍ରୀ ସିଦ୍ଦାରମେୟାଙ୍କ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ଗୁରୁବାର ଜାରି ଏକ ଆଦେଶରେ ସୁନୀଲ କାନୁଗୋଲୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ହେବେ ଓ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ଦର୍ଜା ଦିଆଯିବ ବୋଲି କୁହାଯାଇଛି।

ରାଜ୍ୟରେ ହେବାକୁ ଥିବା ଆଗାମୀ ଲୋକସଭା ନିର୍ବାଚନରେ ଅଧିକରୁ ଅଧିକ ଆସନରୁ କଂଗ୍ରେସ ସାଂସଦଙ୍କ ବିଜୟ ପାଇଁ ହାଇକମାଣ୍ଡଙ୍କ ଇଚ୍ଛା ଅନୁସାରେ ଏହି ନିଯୁକ୍ତି କରାଯାଇଛି। ମିଳୁଥିବା ଖବରରୁ ଜଣାପଡିଛି ଯେ କାନୁଗୋଲୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ରହିବା ସହିତ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ଲାଗି ମଧ୍ୟ ସେ କାମ କରିବେ।
କର୍ଣ୍ଣାଟକରେ ସିଦ୍ଦରମୈୟା କ୍ୟାବିନେଟ୍ରେ ଅଦଳବଦଳ, ଫାଇଦାରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ…
ଏହି ଦୁଇ ରାଜ୍ୟରେ ଚଳିତବର୍ଷ ଶେଷ ଆଡକୁ ନିର୍ବାଚନ ଅନୁଷ୍ଠିତ ହେବ। କୁହାଯାଉଛି ରାଜସ୍ଥାନରେ ମୂଲ୍ୟବୃଦ୍ଧି ରିହାତି କ୍ୟାମ୍ପ ମଧ୍ୟ କାନୁଗୋଲୁଙ୍କ ପରାମର୍ଶ। ଗେହଲୋଟ ସରକାରଙ୍କ ଏହି ଅଭିଯାନ ଏବେ ରାଜ୍ୟରେ ବେଶ୍ ଚର୍ଚ୍ଚା ସାଉଣ୍ଟୁଛି।

ଏହି କ୍ୟାମ୍ପ କାର୍ଯ୍ୟକ୍ରମରେ ଗେହଲୋଟ ବୁଧବାର ବିଳମ୍ବିତ ରାତ୍ରିରେ ବିଦ୍ୟୁତ ବିଲ ରିହାତି ନେଇ ଲୋଭନୀୟ ଘୋଷଣା କରିଛନ୍ତି। ଏହା ସହିତ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ ନାଥ ଓ ତାଙ୍କ ଟିମ୍ ଏବେ ସୁନୀଲ କାନୁଗୋଲୁଙ୍କ ସମ୍ପର୍କରେ ଥିବା ଜଣାପଡିଛି। ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଏବେଠୁ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ କଂଗ୍ରେସ ଅନେକ ରାଜ୍ୟରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ସାଙ୍ଗରେ ନେଇ କାମ କରିଥିଲା। ତେବେ ଏଥିରୁ ସଫଳତା ମିଳିପାରିନଥିଲା।