ସୁନିଲ ଯୋଶୀ ହେବେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା, ନେବେ ଏମଏସକେ ପ୍ରସାଦଙ୍କ ଜାଗା !
4/03/2020 at 5:37 PM

ମୁମ୍ବାଇ ୦୪।୦୩- ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି(ସିଏସି) ଭାରତୀୟ ଦଳର ଚୟନ ସମିତିରେ ଖାଲି ଥିବା ଦୁଇଟି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଛି। ଏହି ତିନି ଜଣିଆ ସମିତି ପୂର୍ବତନ କ୍ରିକେଟର ସୁନିଲ ଯୋଶୀ ଓ ହରବିନ୍ଦର ସିଂହଙ୍କୁ ଚୟନ କରିଛନ୍ତି। ଏହା ସହିତ ପରାମର୍ଶଦାତା କମିଟି ପୂର୍ବତନ ବାମହାତୀ ସ୍ପିନର ସୁନିଲ ଯୋଶୀଙ୍କୁ ଜାତୀୟ ଚୟନ ସମିତି(ପୁରୁଷ ଦଳ)ର ସଭାପତି କରିବାକୁ ବିସିସିଆଇକୁ ସୁପାରିଶ କରିଛନ୍ତି। ଟିମ୍ ଇଣ୍ଡିଆର ଚୟନ କମିଟିରେ ଦୁଇ ଜଣ ସଦସ୍ୟ ଏମଏସକେ ପ୍ରସାଦ ଓ ଗଗନ ଖେଡାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ସାରିଛି। ଏମଏସକେ ପ୍ରସାଦ ଏହି ଚୟନ କମିଟିର ଅଧ୍ୟକ୍ଷ ଥିଲେ। ଏବେ ତାଙ୍କ ସ୍ଥାନ ସୁନିଲ ଯୋଶୀ ନେବାକୁ ଯାଉଛନ୍ତି। ଏବେ କେବଳ ବିସିସିଆଇ ପକ୍ଷରୁ ଔପଚାରିକ ଘୋଷଣା ବାକି ରହିଛି।
ସିଏସି ଏହି ଦୁଇଟି ପଦ ପାଇଁ ପାଞ୍ଚ ପ୍ରାର୍ଥୀଙ୍କୁ ମୁମ୍ବାଇରେ ବିସିସିଆଇର ମୁଖ୍ୟାଳୟକୁ ଡକାଯାଇଥିଲା। ଯୋଶୀ ଓ ହରବିନ୍ଦରଙ୍କ ବ୍ୟତୀତ ବାକି ତିନି ଜଣ ଭେଙ୍କଟେସ ପ୍ରସାଦ, ଲକ୍ଷ୍ମଣ ଶିବରାମକୃଷ୍ଣନ ଓ ରାଜେଶ ଚୌହାନଙ୍କ ନାମକୁ ସର୍ଟ ଲିଷ୍ଟ କରାଯାଇଥିଲା। ଚୟନକର୍ତ୍ତାଙ୍କ ଚୟନ ପାଇଁ ତିନି ଜଣିଆ କ୍ରିକେଟ୍ ପରାମର୍ଶଦାତା କମିଟିରେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଲି ମଦନ ଲାଲ, ଆରପି ସିଂହ ଓ ସୁଲକ୍ଷଣା ନାଇକ ସାମିଲ ଥିଲେ।
ସୁନିଲ ଯୋଶୀ ଓ ହରବିନ୍ଦର
୪୯ ବର୍ଷୀୟ ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଯୋଶୀ ନିଜ ସମୟରେ ବାମହାତୀ ସ୍ପିନର ଥିଲେ। ସେ ୧୫ଟି ଟେଷ୍ଟ ଓ ୬୯ଟି ଦିନିକିଆ କ୍ରିକେଟ୍ ଖେଳିଛନ୍ତି। ଏହା ପୂର୍ବରୁ ସେ ବାଂଲାଦେଶର ଜାତୀୟ ଦଳର ସ୍ପିନ ବୋଲିଂ କୋଚ୍ ଥିଲେ। ଅନ୍ୟପଟେ ହରବିନ୍ଦର ସିଂହ ଅନ୍ତରାଷ୍ଟ୍ରୀୟସ୍ତରରେ ୩ଟି ଟେଷ୍ଟ ଓ ୧୬ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।
ଏବେ ପୁଣି ଥରେ ଚୟନକର୍ତ୍ତାଙ୍କ କମିଟିରେ ପାଞ୍ଚ ଜଣ ସଦସ୍ୟସଂଖ୍ୟା ପୂର୍ଣ୍ଣ ହୋଇଛି। ନୂତନ ଚୟନକର୍ତ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାର୍ଚ୍ଚ ୧୨ରୁ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ ଦଳର ଚୟନ କରିବେ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ପୂର୍ବରୁ ମଧ୍ୟ ସ୍ପଷ୍ଟ କରି ସାରିଥିଲେ ଯେ, ଆଗାମୀ ଦିନିକିଆ ଶୃଙ୍ଖଳା ପାଇଁ ନୂତନ ଚୟନକର୍ତ୍ତା ଭାରତୀୟ ଦଳର ଚୟନ କରିବେ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୨ରେ ଧର୍ମଶାଳାରେ ଖେଳାଯିବ।