ସରଫରାଜଙ୍କୁ ନେଇ ଚିହିଁକିଲେ ଗାଭାସ୍କର, କହିଲେ-‘ସ୍ଲିମ୍-ଟ୍ରିମ୍ କ୍ରିକେଟର ଦରକାର ତ ଫ୍ୟାସନ୍ ଶୋ’ ଚାଲିଯାଅ’
21/01/2023 at 9:58 AM

ମୁମ୍ବାଇ ୨୧।୦୧ : ବିସିସିଆଇ ଉପରେ ବର୍ଷିଲେ ଲିଟିଲ୍ ମାଷ୍ଟର । ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟସମ୍ୟାନ୍ ବିସିସିଆଇ ଓ ସିଲେକ୍ସନ କମିଟି ଉପରେ ବର୍ଷିଛନ୍ତି । ଖେଳାଳିଙ୍କ ଚୟନକୁ ନେଇ ବୋର୍ଡକୁ ଟାର୍ଗେଟ୍ କରିଛନ୍ତି ।
ଏକ ସାକ୍ଷାତକାର ସମୟରେ ସୁନୀଲ୍ ଗାଭାସ୍କର କହିଛନ୍ତି ଯେ, ଲଗାତର ଭାବେ ଖେଳାଳିମାନେ ରଣଜୀ ସିଜିନ୍ରେ ରନ୍ କରିବା ପରେ ବି ସେମାନଙ୍କୁ ଟିମ୍ରେ ଚୟନ କରାଯାଉନାହିଁ । ଟିମ୍ରେ ଚୟନ ଲାଗି ଆପଣଙ୍କ ମାପଦଣ୍ଡ କଣ ରହିଛି ବୋଲି ଚୟନକର୍ତ୍ତା କମିଟିକୁ ପ୍ରଶ୍ନ ପଚାରିଛନ୍ତି । ଏମିତି ଚୟନକର୍ତ୍ତା କମିଟି ପକ୍ଷପାତିତା କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ରଣଜୀ ସିଜିନ୍ରେ ସରଫରାଜ ଖାନ୍ ଭଲ ପ୍ରଦର୍ଶନ କରିଛନ୍ତି । ଏପିରିକି ସେ ଶତକ ମାରିବା ପରେ ଆଉଟ ହୋଇ ପ୍ୟାଭିଲିୟନ୍ ଫେରିଯାଇନାହାନ୍ତି । ବରଂ କ୍ରିଜ୍ରେ ରହି ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛନ୍ତି । ଏହା ତାଙ୍କ ଫିଟ୍ନେସ୍କୁ ପ୍ରମାଣିତ କରୁଛି ଯେ, ଖେଳାଳି ଜଣଙ୍କ କେତେ ଫିଟ୍ । ଖାସ୍ କରି ତାଙ୍କ ଫିଟ୍ନେସ୍କୁ ନେଇ ପ୍ରଶ୍ନ କରୁଥିବା ଲୋକମାନେ , ଏହାର ଉତ୍ତର ଦେଇପାରିବେ । ସେ ନିକଟରେ ମଧ୍ୟ ୟୋ-ୟୋ ଟେଷ୍ଟ ପାସ୍ କରିଛନ୍ତି । ତେଣୁ ଟିମ୍ରେ ସାମିଲ୍ ହେବାର ପ୍ରମୁଖ ଦାବିଦାର ଥିଲେ ସରଫରାଜ୍ ଖାନ୍ ।

ସେହିପରି ଚୟନକର୍ତ୍ତା ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ଆପଣମାନଙ୍କୁ କେଉଁ ପ୍ରକାର ଖେଳାଳି ଦରକାର । ଯଦି ଆପଣଙ୍କୁ ଟିମ୍ରେ ସ୍ଲିମ ଓ ଟ୍ରିମ୍ ଖେଳାଳି ଦରକାର । ତେବେ ଆପଣମାନେ ଫ୍ୟାସନ ସୋ’ ଚାଲିଯାଅ । ସେଠାରେ ବହୁତ ହ୍ୟାଣ୍ଡସମ୍ ଏବଂ ସୁନ୍ଦର ଚେହେରା ଥିବା ଯୁବକ ମିଳିଯିବେ । ଯେଉଁମାନଙ୍କୁ ଆପଣମାନେ ବ୍ୟାଟ୍ ଓ ବଲ୍ ଧରାଇଦେବେ । ଆଉ କ୍ରିକେଟ୍ ଖେଳିବା ଲାଗି ପଡିଆକୁ ଛାଡିଦେବେ ।
ସୂଚନାଯୋଗ୍ୟ ଯେ, ସରଫରାଜ ଖାନ୍ ଗତ ୩ଟି ରଣଜୀ ସିଜିନ୍ରେ ୨୪୪୧ ରନ୍ କରିଛନ୍ତି । ଏଥିରେ ତାଙ୍କ ଟପ୍ ସ୍କୋର ରହିଛି ୩୦୧ ରନ୍ । ଗତ ସିଜିନ୍ରେ ମୋଟ ୫ଟି ମ୍ୟାଚ୍ ଖେଳିଥିବା ସରଫରାଜ୍ଙ୍କ ୨ଟି ଶତକ ରହିଥିବା ଗୋଟିଏ ଅର୍ଦ୍ଧଶତକ ରହିଛି । ୨୦୨୨-୨୩ ସିଜିନ୍ରେ ସରଫରାଜ୍ ମୋଟ୍ ୪୩୧ ରନ୍ କରିଛନ୍ତି । ପୂର୍ବ ୨ଟି ସିଜିନ୍ରେ ମଧ୍ୟ ଦମ୍ଦାର ଖେଳ ପ୍ରଦର୍ଶନ କରିଛନ୍ତି । ଯାହାଫଳରେ ଆଗାମୀ ଦିନରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ସରଫରାଜ୍ ଖାନ୍ ପ୍ରବଳ ଦାବିଦାର ରହିଥିଲେ । ହେଲେ ତାଙ୍କୁ ଚୟନକର୍ତ୍ତା ଅଣଦେଖା କରିଥିବାର ଅଭିଯୋଗ ଆସିଛି ।