ସମ୍ମାନଜନକ ‘ନାଇଟହୁଡ’ ଆୱାର୍ଡ ପାଇବାରେ ସୁନୀଲ ଭାରତୀ ମିତ୍ତଲ ହେଲେ ପ୍ରଥମ ଭାରତୀୟ,କିଙ୍ଗ ଚାର୍ଲସ ତୃତୀୟ କଲେ ସମ୍ମାନୀତ

Published By : Prameya-News7 Bureau | February 28, 2024 IST

ଲଣ୍ଡନ ୨୮।୨: ଭାରତୀ ଏଣ୍ଟରପ୍ରାଇଜେସର ସଂସ୍ଥାପକ ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ବୁଧବାର ବ୍ରିଟିଶ ସାମ୍ରାଜ୍ୟର ସବୁଠୁ ବଡ଼ ପୁରସ୍କାର ସମ୍ମାନଜନକ ‘ନାଇଟ୍ ହୁଡ’ ନାଇଟ୍ କମାଣ୍ଡର ଅଫ ଦି ମୋଷ୍ଟ ଏକ୍ସିଲେଣ୍ଟ ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର (କେବିଇ)ରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ମାନ ପାଇବାରେ ସୁନୀଲ ଭାରତୀ ମିତ୍ତଲ ପ୍ରଥମ ଭାରତୀୟ । ତାଙ୍କୁ ଏହି ସମ୍ମାନ କିଙ୍ଗ ଚାର୍ଲସ୍ ତୃତୀୟ ଭାରତ-ବ୍ରିଟେନ ବ୍ୟାପାର ସମ୍ପର୍କକୁ ଆଗକୁ ବଢାଇବା ଲାଗି ଯୋଗଦାନ ନିମନ୍ତେ ପ୍ରଦାନ କରିଛନ୍ତି।

ପୁରସ୍କାର ନେଇ ମିତ୍ତଲ କହିଛନ୍ତି ଯେ ‘ମୁଁ ମହାମହିମ କିଙ୍ଗ ଚାର୍ଲସଙ୍କଠାରୁ ମିଳିଥିବା ଏହି ଗୌରବମୟ ମାନ୍ୟତା ନିମନ୍ତେ ଅତ୍ୟନ୍ତ କୃତଜ୍ଞ। ୟୁକେ ଓ ଭାରତର ସମ୍ପର୍କ ଐତିହାସିକ ଓ ପାରସ୍ପାରିକ ସହଯୋଗରେ ଏହି ସମ୍ପର୍କ ଏବେ ଏକ ନୂଆଯୁଗରେ ପ୍ରବେଶ କରିଛି। ମୁଁ ଆମର ଦୁଇ ମହାନ ଦେଶଙ୍କ ମଧ୍ୟରେ ଆର୍ଥିକ ଓ ଦ୍ୱିପାକ୍ଷୀୟ ବ୍ୟାପାର ସମ୍ବଦ୍ଧକୁ ମଜଭୁତ କରିବା ଦିଗରେ କାମ କରୁଥିବି’। ଏହି ସମ୍ମାନ ପାଇଁ ମିତ୍ତଲ ୟୁକେ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ମିତ୍ତଲ କହିଛନ୍ତି ଯେ ୟୁକେ ସରକାର ବ୍ୟବସାୟର ଆବଶ୍ୟକତା ଉପରେ ଧ୍ୟାନ ଦେଉଛନ୍ତି, ସରକାରଙ୍କ ସମର୍ଥନ ମଧ୍ୟ ମିଳୁଛି, ଫଳରେ ନିବେଶ ଆକର୍ଷିତ ହେଉଛି। ଉଲ୍ଲେଖଯୋଗ୍ୟ ଯେ କେବିଇ ବ୍ରିଟେନ ନାଗରିକଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅନ୍ୟତମ। ଏଥିରେ ବିଦେଶୀ ନାଗରିକଙ୍କୁ ସମ୍ମାନଜନକ କେବିଇ ଆୱାର୍ଡ ଦିଆଯାଏ। ୨୦୦୭ ମସିହାରେ ସୁନୀଲ ଭାରତୀ ମିତ୍ତଲଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। 

ଗତବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷତା କରିବା କାଳରେ ମିତ୍ତଲ ଆଫ୍ରିକୀୟ ଆର୍ଥିକ ଏକିକରଣ ଉପରେ ଜି-୨୦ ଇଣ୍ଡିଆ ଆକ୍ସନ କାଉନସିଲ ଅଧ୍ୟକ୍ଷ ରୂପେ କାମ କରିଥିଲେ। ସେ ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ  ୟୁନିୟନ ୟୁନେସ୍କୋବ୍ରଡବ୍ୟାଣ୍ଡ ଆୟୋଗର ଆୟୁକ୍ତ ମଧ୍ୟ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.